ବରଗଡ, (ମୁନ୍ନା ସାହୁ) : ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ସରକାର, ପ୍ରଶାସନ ଓ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣାଯାଇଛି । ଚାଷୀଙ୍କ ହକ୍ ଓ ଅଧିକାର ପାଇଁ ହେଉଥିବା ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ସଂଗଠନର କର୍ମୀମାନଙ୍କୁ ମିଛ ମାମଲାରେ ଫସାଯାଉଥିବା ଅଭିଯୋଗ କରାଯାଇଛି । ସଂଗଠନର କହିବା ଅନୁସାରେ, ଗତ ଖରିଫ ଋତୁରେ ସମସ୍ତ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ୪୮୦୪ ଜଣ ଚାଷୀ ଧାନ ବିକ୍ରି ପଞ୍ଜିକରଣରୁ ବଞ୍ଚିତ ହୋଇଥିଲେ । ଏହି ଚାଷୀମାନଙ୍କୁ ଟୋକନ ଯୋଗାଇବା ଦାବିରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ, ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ପ୍ରତିଶ୍ରୁତି ଛଡ଼ା କୌଣସି ଠୋସ ପଦକ୍ଷେପ ନ ନିଆଯାଇଥିବାରୁ ସଂଗଠନ ଆନ୍ଦୋଳନର ଚେତାବନୀ ଦେଇଥିଲା । ଏହା ପରେ ଗତ ୯ ଅକ୍ଟୋବର ୨୦୨୫ ତାରିଖରେ ଶହ ଶହ ଚାଷୀଙ୍କୁ ଗିରଫ କରାଯାଇଥିବା ଏବଂ ପରବର୍ତ୍ତୀ ସମୟରେ ୨୫ ଜଣ କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ସଂଗଠନ ଅଭିଯୋଗ କରିଛି । ଏହି ମାମଲାରେ ୨୫ ଜଣଙ୍କ ପକ୍ଷରୁ ଆଇନଜୀବୀ ମନୋଜ ପଟ୍ଟନାୟକ ଓ ବାସୁଦେବ ସା ମାମଲା ପରିଚାଳନା କରିଥିଲେ । ନୀଳାଞ୍ଚଳ ଦେହେରୀ ଓ ଯୋଗେଶ୍ୱର ଭୋଇଙ୍କ ସମେତ ସମସ୍ତ କର୍ମୀ ବରପାଲି କୋର୍ଟରୁ ଜାମିନରେ ମୁକୁଳିଥିବା ଜଣାପଡ଼ିଛି । ସଂଯୁକ୍ତ କୃଷକ ସଙ୍ଗଠନ କହିଛି ଯେ, ଚାଷୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ।
