ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସ୍‌ପିସିବି

csstore

ରାଉରକେଲା, (ସସ୍ମିତା ପ୍ରଧାନ) : କଠିନ ଆବର୍ଜନା ଓ ଫ୍ଲାଏଆସର ଅବୈଧ ଡମ୍ପିଂ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଓ ସଂସ୍ଥାଙ୍କ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧.୮୦ କୋଟି ଟଙ୍କା ପରିବେଶଗତ କ୍ଷତିପୂରଣ ଆଦାୟ କରିଛି । ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାଯର୍ଯ୍ୟାଳୟ ପକ୍ଷରୁ ରାଜଗାଙ୍ଗପୁରସ୍ଥିତ ଅଗ୍ରସେନ ସ୍ପଞ୍ଜର ୩ଟି ୟୁନିଟକୁ ସିଲ୍ କରାଯାଇଛି । ଏସ୍‌ପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦେଶରେ , କାରଖାନା ପରିସର ମଧ୍ୟରେ ୩ଟି ସ୍ଥାନରେ ଏକସଙ୍ଗେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ସେଗୁଡ଼ିକ ହେଲା: ପିଏଲ୍‌ସି କଣ୍ଟ୍ରୋଲ ରୁମ୍, କଞ୍ଚାମାଲ ଫିଡିଂ ପଏଣ୍ଟ ଏବଂ ୩୩ କେଭି ବିଦ୍ୟୁତ ସଂଯୋଗ ସ୍ଥଳ, ଏସପିସିବି, ରାଉରକେଲା ପକ୍ଷରୁ କୁହାଯାଇଛି ଯେ. ବାୟୁ ଏବଂ ଜଳ ଆଇନ ଅନୁଯାୟୀ ଦିଆଯାଇଥିବା ସର୍ତ୍ତାବଳୀ ଉଲ୍ଲଂଘନ କରି କାରଖାନା ଚାଲୁଥିଲା । ବାରମ୍ବାର ନିୟମ ଅଣଦେଖା ଏବଂ ନିର୍ଦ୍ଧାରିତ ପରିବେଶ ମାନଦଣ୍ଡ ପୂରଣ ନକରିବା ଯୋଗୁଁ ବିଭିନ୍ନ ଶିଳ୍ପ କାରଖାନାରେ ଏହି ସିଲ୍ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏସ୍‌ପିସିବି, ରାଉରକେଲାର ଏକ ଟିମ୍, ସ୍ଥାନୀୟ ପ୍ରଶାସନ, ଟିପିଡବ୍ଲୁଓଡି ଏବଂ ପୋଲିସ ଉପସ୍ଥିତିରେ ସିଲ୍ କାର୍ଯ୍ୟ ସମ୍ପନ୍ନ କରିଛି । ସିଲ୍ ହୋଇଥିବା ସ୍ଥାନରେ ନୋଟିସ୍ ମଧ୍ୟ ଲଗାଯାଇଛି ଯେ, ବୋର୍ଡର ପରବର୍ତ୍ତୀ ଅନୁମତି ନମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରାଯାଇପାରିବ ନାହିଁ । ଉଲ୍ଲଂଘନକୁ ସୁଧାରି ଅନୁପାଳନ ରିପୋର୍ଟ ଦାଖଲ କରିବା ପରେ ହିଁ କାରଖାନା ପରିଚାଳନାକୁ ଡି-ସିଲ୍ ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୋର୍ଡ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ଓ ଚଳିତ ଏପ୍ରିଲରୁ ଏବେ ପର୍ଯ୍ୟନ୍ତ ଆର୍‌ଓଏସ୍‌ପିସିବି, ରାଉରକେଲା ଦ୍ୱାରା ନିୟମ ଉଲ୍ଲଂଘନକାରୀ ଶିଳ୍ପଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟଶନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୨୫-୨୬ରେ ଓଏସପିସିବି, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୪୧ ଟି ଶିଳ୍ପ କୁ ବନ୍ଦ କରିବା ନିର୍ଦ୍ଦେଶ ନୋଟିସ୍ ଜାରି କରାଯାଇଛି । ୩୧ଟି ଶିଳ୍ପ ସଂସ୍ଥାକୁ ସିଲ୍ କରାଯାଇଥିବା ବେଳେ ୧୦୦ଟି ଶିଳ୍ପକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେହିପରି ୭ଟି ଶିଳ୍ପ କାରଖାନାକୁ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ, ପରିବେଶ ସୁରକ୍ଷା ଆଇନ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟଶନୁଷ୍ଠାନ ଗ୍ରହଣ କରାଯାଇଛି । ଅନୁମତି ସର୍ତ୍ତ ଉଲ୍ଲଂଘନ କରି କଠିନ ଆବର୍ଜନା, ଫ୍ଲାଏ ଆସ୍ ଏବଂ ଅନ୍ୟାନ୍ୟ ବିପଜ୍ଜନକ ପଦାର୍ଥ ଡମ୍ପ କରୁଥିବା ଶିଳ୍ପଗୁଡ଼ିକ ଉପରେ ମୁଖ୍ୟ ଧ୍ୟାନ ଦିଆଯାଉଛି । ବୋର୍ଡ ପକ୍ଷରୁ ରାଉରକେଲା, ରାଜଗାଙ୍ଗପୁର, କୁଆଁରମୁଣ୍ଡା, କଳୁଙ୍ଗା, ବଣାଇ ଭଳି ଶିଳ୍ପ କାରଖାନାରେ ଯାଞ୍ଚ ତୀବ୍ର କରାଯାଇଛି । ଏସ୍‌ପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକ କହିଛନ୍ତି ଯେ , ନିର୍ଦ୍ଧାରିତ ସମୟ ମଧ୍ୟରେ ଶିଳ୍ପ କାରଖାନା ଗୁଡିକ ତ୍ରୁଟି ସୁଧାର ନକଲେ ଆଗାମୀ ଦିନରେ ବିହିତ କାର୍ଯର୍୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.