
କେସିଙ୍ଗା, ( ପ୍ରୀତେଶ ପଟେଲ) : ଓଡ଼ିଶା ଜନସେବା ଆୟୋଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ପ୍ରୋଫେସର (ବ୍ରଡ୍ ସ୍ପେସିଆଲିଟି – ପାଥୋଲୋଜି) ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କ ସୁପାରିଶ ତାଲିକା ପ୍ରକାଶ ପାଇଛି । ବିଜ୍ଞାପନ ସଂଖ୍ୟା ୦୩/୨୦୨୫-୨୬ ଅନୁଯାୟୀ, ଆୟୋଗଙ୍କ ଦ୍ୱାରା ମୋଟ ୧୨ ଜଣ (ସେଥିମଧ୍ୟରୁ ୮ ଜଣ ମହିଳା) ପ୍ରାର୍ଥୀଙ୍କ ନାମ ସରକାରଙ୍କ ନିକଟକୁ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି । ଏହି ସଫଳ ପ୍ରାର୍ଥୀଙ୍କ ମଧ୍ୟରେ କେସିଙ୍ଗାର ଡ. ହେମସାଗର ସାହା ଓ ଯାଜ୍ଞସେନୀ ସାହାଙ୍କ ସାନ ଝିଅ, ଆନିନ୍ଦିତା ସାହା ଆସିଷ୍ଟାଣ୍ଟ ପ୍ରୋଫେସର (ପାଥୋଲୋଜି) ଭାବେ ମନୋନୀତ ହୋଇ ନିଜ ଅଞ୍ଚଳ ତଥା ପରିବାର ପାଇଁ ଗୌରବ ଆଣିଦେଇଛନ୍ତି । ଖବର୍ ଶୁଣି ସାହା ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି । ପ୍ରକାଶିତ ଚିଠି ଅନୁସାରେ, ମୋଟ ୨୯ଟି ପଦବୀ ଖାଲିଥିବା ବେଳେ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ଯୋଗୁଁ କେବଳ ୧୨ ଜଣଙ୍କୁ ସୁପାରିଶ କରାଯାଇଛି । ବିଶେଷ କରି ଏସ୍ସି ବର୍ଗରେ ମାତ୍ର ଜଣେ ଏବଂ ଏସ୍ଟି ବର୍ଗରେ କୌଣସି ଯୋଗ୍ୟ ପ୍ରାର୍ଥୀ ମିଳିନାହାନ୍ତି । ଏହି ମନୋନୀତ ପ୍ରାର୍ଥୀମାନଙ୍କର ପ୍ରମାଣପତ୍ର ଯାଞ୍ଚ ପରେ ସରକାରଙ୍କ ଦ୍ୱାରା ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।