- ପାଣି ଭାବି ପିଇ ଦେଲେ ଛତୁ ଚାଷ ପାଇଁ ବ୍ୟବହୃତ ଫରମାଲିନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଗଜବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅପମିଶ୍ରିତ ପାନୀୟ ଯୋଗୁଁ ଦୁଇଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପଛରେ ବିଷାକ୍ତ ମଦକୁ ନେଇ ଚର୍ଚ୍ଚା ଜୋର୍ ଧରିବା ସହ ସନ୍ଦେହ କରାଯାଉଥିଲା । ରାମପୁର ପୁଲିସ ମୃତକଙ୍କ ଘରକୁ ଯାଇ ତଦନ୍ତ କରିବା ସହ ବିସଲେରୀ ପାଣି ବୋତଲରେ କିଛି ଅପମିଶ୍ରିତ ପାନୀୟକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ରାମପୁର ଆଇଆଇସି ବିନୋଦିନୀ ବରିହାଙ୍କ ତତ୍ତ୍ୱାବଧାନରେ ତଦନ୍ତକୁ ଜୋରଦାର କରାଯାଇଥିଲା । ପ୍ରାପ୍ତ ସୂଚନାରୁ ପ୍ରକାଶ ଗଜବନ୍ଧ ଗ୍ରାମର ଏକ ପରିବାରର ବଡ ଭାଇଙ୍କ ଝିଅର ଭାତ ଖୁଆଣି ଉତ୍ସବରେ ଯୋଗ ଦେବାକୁ ଭକ୍ତ ପରିବାର ୩ ଭାଇଙ୍କ ମଧ୍ୟରୁ ବରଗଡ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ସମବାୟ ବ୍ୟାଙ୍କରେ ସିକ୍ୟୁରିଟୀ ଗାର୍ଡ଼ ଥିବା ସାନଭାଇ ସନ୍ତୋଷ ରାଜହଂସ (୫୦) ନିଜ ଗ୍ରାମ ଗଜବନ୍ଧକୁ ସପରିବାର ଆସିଥିଲେ । ଆସିବା ବେଳେ ଗୋଡ଼ଭଗା ଛକରୁ ଏକ ବିସଲେରୀ ବୋତଲରେ ଛତୁ ଚାଷରେ ବ୍ୟବହୃତ ଫରମାଲିନ କିଣିଥିଲେ । ଘରକୁ ଆସିବା ପରେ ଦୁଇଭାଇ ସନ୍ତୋଷ ଓ ତେଜରାଜ ରାଜହଂସ (୫୨)ଙ୍କ ଖୁସି ମନାଇବା ସହ ମ୍ୟାକ ଡୁଆଲ ରମ୍ ପିଇଥିଲେ । କିଛି ସମୟ ପରେ ଛାତି ଜଳି ଯାଉଛି ବୋଲି ଚିତ୍କାର କରିବାରୁ ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସନ୍ତୋଷ ରାଜହଂସଙ୍କୁ ରିସିଭ ମୃତ୍ୟୁ ଘୋଷଣା କରିଥିବା ବେଳେ ତେଜରାଜ ରାଜହଂସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ଯିବା ବାଟରେ ବରପାଲି ଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଡୁଙ୍ଗୁରିପାଲି ଡାକ୍ତରଖାନକୁ ପରିବାର ଲୋକେ ଆସିବା ବେଳେ ହାତରେ ଏକ ବିସଲେରୀ ପାଣି ବୋତଲରେ କିଛି ଧଳା ପାନୀୟ ଥିବା ଓ ଏହା ଉତ୍କଟ ବାସ୍ନା ହେଉଥିବା ଡାକ୍ତରଖାନା ଷ୍ଟାଫଙ୍କ ଠାରୁ ପ୍ରକାଶ । ରାମପୁର ପୁଲିସ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ କେଉଁ କାରଣରୁ ଦୁଇଭାଇଙ୍କ ମୃତ୍ୟୁ ହେଲା ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଆଇଆଇସି ବିନୋବିନୀ ବରିହା କହିଛନ୍ତି । ସେପଟେ ମଦ ନିଶାରୁ ପାଣି ଭାବି ମଦ ଗ୍ଲାସରେ ଫରମାଲିନ ମିଶାଇ ପିଇ ଦୁଇ ଭାଇଙ୍କ ଜୀବନ ଯାଇଥିବା ଗୋଟେ ପଟେ ସ୍ପଷ୍ଟ ହୋଇଛି । ଉଭୟ ଭାଇ ବେଶ୍ ହସଖୁସି ତଥା ସମସ୍ତଙ୍କ ସହ ଭଲ ସମ୍ପର୍କ ଥିବା ବେଳେ ମୃତ୍ୟୁ ପରେ ତାଙ୍କ ଗ୍ରାମ ଓ କର୍ମ କ୍ଷେତ୍ରରେ ଶୋକର ଛାୟା ଖେଳି ଯାଇଥିଲା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି ।
