ନୟାଗଡ଼, (କେପିଏନ୍ଏସ୍) : ନୟାଗଡ଼ ଜିଲ୍ଳା ଖଣ୍ଡପଡ଼ା ଅଞ୍ଚଳରେ ଶ୍ରୀଜୀଉଙ୍କ ପବିତ୍ର ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ବିଗ୍ରହମାନଙ୍କ ନୀତିକାନ୍ତି ଶେଷ ହେବା ପରେ ଖଣ୍ଡପଡ଼ା ସହରରେ ଶ୍ରୀଜଗନ୍ନାଥଜୀଉ ଓ ପ୍ରଭୁ ପତିତପାବନଙ୍କୁ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ପରିସରରୁ ପହଣ୍ଡି ବିଜେ କରାଯାଇ ରଥାରୂଢ କରାଯାଇଥିଲା । ପରେ ପାରମ୍ପରିକ ପ୍ରଥାନୁଯାୟୀ ରଥ ଚାରିପାଖରେ ଛେରାପହଁରା କାର୍ଯ୍ୟ ଶେଷ ହୋଇଥିଲା । ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ ୨ ଟି ଯାକ ରଥ ଚାରିପାଖରେ ଛେରାପହଁରା କାର୍ଯ୍ୟ ଶେଷ କରିଥିଲେ । ଛେରାପହଁରା କାର୍ଯ୍ୟ ଶେଷ ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଞ୍ଜ ନଇଁବା ପୂର୍ବରୁ ଶ୍ରୀଜଗନ୍ନାଥଜୀଉଙ୍କ ରଥ ଗୁଣ୍ଡିଚା ମଣ୍ଡପ ନିକଟରେ ପହଞ୍ଚିଥିବା ବେଳେ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ପ୍ରଭୁ ଶ୍ରୀପତିତପାବନ ଜୀଉଙ୍କ ରଥଟି ଅଧା ବାଟରେ ପହଞ୍ଚିଥିବା ଜଣାପଡିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଥଟଣା କାର୍ଯ୍ୟ ବହୁ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସନ୍ଧ୍ୟା ସମୟରେ ରଥାରୂଢ ବିଗ୍ରହମାନଙ୍କ ଦର୍ଶନ ନିମନ୍ତେ ରଥ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ପ୍ରତିକୂଳ ପାଗ ସତ୍ତ୍ବେ ମହାପ୍ରଭୁଙ୍କର ଘୋଷଯାତ୍ରାରେ ଆଖପାଖ ଅଞ୍ଚଳରୁ ୭ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ ଖଳିସାହି, କୁମ୍ଭାରପଡ଼ା ଓ ମର୍ଦ୍ଦରାଜପୁର ଗ୍ରାମରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଯାତ୍ରାରେ ଖଣ୍ଡପଡ଼ା ଯୁବକ ସଂଘର ସଦସ୍ୟମାନେ ଆନୁସଙ୍ଗିକ ସେବା କାର୍ଯ୍ୟରେ ସାମିଲ ହୋଇଥିଲେ । ଖଣ୍ଡପଡା ଏସ୍ଡିପିଓ ସରୋଜ କୁମାର ସାହୁ ଓ ଥାନାଧିକାରୀ କୃତିବାସ ହରିଚନ୍ଦନଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଶାନ୍ତିଶୃଙ୍ଖଳାର ସହ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାପଡିଛି ।
