ସେଞ୍ଚୁରିଅନ ପରିସରରେ ରଥଯାତ୍ରା ଧୁମ୍‌ଧାମ୍‌ରେ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବା ଓଡିଶା ଏବଂ ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆର ପ୍ରାଣ ଦେବତା । ଜଗନ୍ନାଥଙ୍କ ଚେତନା ହିଁ କୋଟି ଓଡ଼ିଆଙ୍କୁ ସମୃଦ୍ଧ ଓ ସମ୍ପୂର୍ଣ୍ଣ କରିଥାଏ । ଛାତ୍ରଛାତ୍ରୀଙ୍କ ମନରେ ଏଇ ଜଗନ୍ନାଥ ପ୍ରେମ ଓ ଆଧ୍ୟାତ୍ମିକତାକୁ ଆହୁରି ଉଜ୍ଜୀବିତ କରିବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ରଥଯାତ୍ରାର ଆୟୋଜନ କରିଥିଲେ । ଆଜି ଅପରାହ୍ନରେ ସେଞ୍ଚୁରିଅନ ବିଦ୍ୟାଳୟର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ପ୍ରଥମେ ପହଣ୍ଡି ବିଜେ କରାଯାଇଥିଲା । ଚତୁର୍ଦ୍ଧା ମୁରତିଙ୍କୁ ଅତି ସୁନ୍ଦର ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଇ ଘଣ୍ଟ, ଶଙ୍ଖ, ଖୋଳ ତାଳ ହରିବୋଲ ହୁଳହୁଳି ସହିତ ଠାକୁରଙ୍କ ପହଣ୍ଡି ବିଜେ ହୋଇଥିଲା । ତାପରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକଙ୍କ ଉପସ୍ଥିତିରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରବଳ ବର୍ଷା ମଧ୍ୟ କାହାରି ଉତ୍ସାହ ଓ ଶ୍ରଦ୍ଧାକୁ କମେଇ ପାରି ନଥିଲା ଓ ରଥଟଣା ଅତି ସୁନ୍ଦର ଭାବରେ ସମାପିତ ହୋଇଥିଲା । ଏଇ ଅବସରରେ ଜେ. ଆଇ. ଟି. ଏମ ବିଭାଗର ଅଧ୍ୟକ୍ଷ ଡ଼. ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଡ଼. ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ଼. ପୂଣ୍ୟତୋୟା ବିଶ୍ୱାଳ, ନର୍ସିଂ ବିଭାଗର ସଂଯୋଜକ ସୋମନାଥ ଷଡ଼ଙ୍ଗୀ, ହେଲୋ କିଡ଼ସ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ସୋନିକା ତ୍ରିପାଠୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଠାକୁରଙ୍କୁ ରଥରୁ ପହଣ୍ଡିରେ ଅଣାଯାଇ ଆଳତି ଓ ପୁଷ୍ପାଞ୍ଜଳୀ କରାଯାଇଥିଲା । ସେଞ୍ଚୁରିଅନ (ଜେ.ଆଇ.ଟି.ଏମ୍‌) ପରିସରରେ ଏହା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀଙ୍କୁ ଜଗନ୍ନାଥ ସଂସ୍କୃତି ପ୍ରତି ଆକୃଷ୍ଟ କରିଥିଲା । ବାସ୍ତବରେ ଅନୁଷ୍ଠାନର ଏପରି ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।

Leave A Reply

Your email address will not be published.