- ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ସ୍ୱାସ୍ଥ୍ୟ ସେବା ପାଉନାହାନ୍ତି ଲୋକେ
- ଅଭାବୀ ସାର ଓ କଳାବଜାରୀ ଯୋଗୁଁ ଚଷୀ ହନ୍ତସନ୍ତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଖୁଜେନପାଲି ଓ ବରକାନୀ ପଂଚାୟତର ସାଧାରଣ ଲୋକ ଓ ପଂଚାୟତ ସ୍ତରୀୟ ନେତୃବୃନ୍ଦଙ୍କୁ ଭେଟି ଅଂଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନାରୁ ଜଣାଯାଇଛି ଯେ, ଏଠାରେ ଥିବା ପ୍ରାଇମେରୀ ହେଲ୍ଥ ସେଣ୍ଟରରେ ବହୁ ମାସରୁ ହେବ ଡାକ୍ତର ଅନୁପସ୍ଥିତ ରହୁଛନ୍ତି । ଫଳରେ ସାଧାରଣ ଜନତାଙ୍କ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଲେ ବଲାଙ୍ଗିର ଯାଇ ସେମାନେ ଖର୍ଚ୍ଚାନ୍ତ ହେଉଥିବାର ଲୋକେ ଅଭିଯୋଗ କରିଥିଲେ । ଠିକ୍ ସେହିପରି ଉଭୟ ପଂଚାତୟର ସମସ୍ତ ଗାଁରେ ଥିବା ଚାଷୀମାନେ ସାରର ଅଭାବ ଓ ଯାହା କିଛି ବି ଆସୁଛି ତାର କଳାବଜାରୀ ହେଉଥିବାର ଅଭିଯୋଗ କରିଥିଲେ । ତା ସହ ସାର ଓ ବିହନ ରେଟ୍ ଏତେ ବଢିଛି ଯେ ଚାଷୀମାନଙ୍କ ପାଖରେ ସାର କିଣିବା ପାଇଁ ଘୋର ଅସୁବିଧା ହେଉଛି । ତା ପୁଣି ଧାର୍ଯ୍ୟ ଦରରେ ନମିଳି ଅଧିକ ଦରରେ ଚାଷୀକୁ ଦଲାଲମାନେ ବିକ୍ରି କରୁଛନ୍ତି । ଭତ୍ତା କଥା ଗାଁର ବେଣୁଧର ଭୁଏ ଅଭିଯୋଗ କରିଥିଲେ । ସେ ଚାରି ପାଂଚ ମାସ ହେବ ଭତ୍ତା ପାଇ ପାରିନାହାନ୍ତି । ତାଙ୍କ ଭଳିଆ ଏ ଅଂଚଳର ଅନେକ ହିତାଧିକାରୀ ଟଙ୍କା ପାଉନଥିବାର ଅଭିଯୋଗ କରିଥିଲେ । ପିଇବା ପାଣି ସମସ୍ୟା ମଧ୍ୟ ବଢିଚାଲିଛି । ଦାବକାନୀ ଗାଁ ଲୋକେ ଦାବକାନୀ ସ୍କୁଲ ଠାରୁ ହରିଜନପଡାକୁ ଏକ ରାସ୍ତା ଦାବି କରିଥିଲେ । ତା ସହ ଅଇଁଲାଚୁଆ ତ୍ରିବେଣୀ ଛକଠାରୁ କସାବାହାଲ ଛକକୁ ରାସ୍ତା ନିର୍ମାଣକୁ ନେଇ ପଦକ୍ଷେପ ନେବାକୁ ନରସିଂହଙ୍କ ଆଗରେ ଦାବି କରିଥିଲେ । ଉଭୟ ପଂଚାୟତର ଅନେକ ଗାଁରେ ବିଜୁଳି ଖୁଣ୍ଟ ଥିଲେ ହେଁ ସେଥିରେ ବିଜୁଳିବତୀ ନ ଥିବା ଅନ୍ଧାରର ସୁଯୋଗ ନେଇ ଅସମାଜିକ ତତ୍ୱଙ୍କ ପ୍ରଦ୍ୟୁର୍ଭାବ ବଢୁଥିବାର ଲୋକେ ଅଭିଯୋଗ କରିଥିଲେ । ଖୁଜେନପାଲି ମୁଖ୍ୟ ରାସ୍ତାରେ ଡ୍ରେନ ନିର୍ମାଣ ସାଙ୍ଗକୁ ଖୁଜେନପାଲି ବଡବନ୍ଧ ଉନ୍ନତିକରଣ ନିହାତି ଦରକାର ବୋଲି ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ଶ୍ରୀ ମିଶ୍ର ଏସବୁ ସମସ୍ୟାକୁ ନେଇ ଏକ ଚିଠି କରିବାକୁ ଲୋକଙ୍କୁ କହିବା ସହ ସମସ୍ୟା ସମ୍ବନ୍ଧୀୟ ସମସ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ସହ କଥା ହୋଇ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ଆଜିର ଏହି ଆଲୋଚନା ସମୟରେ ବ୍ଲକ କଂଗ୍ରେସ ସଭାପତି ରାମପ୍ରସାଦ ମିଶ୍ର, ସରପଂଚ ବଳଦେବ ସାହୁ, ପୂର୍ବତନ ସରପଂଚ ସତ୍ୟବାନ ସାହୁ, ବିଭୁ ପ୍ରସାଦ ନାଏକ, ଅଜିତ ଷାଣ୍ଢ, ସୁରେଶ ସାହୁ, ରୋହିତ ତ୍ରିପାଠି, ସୁବନ ବାଗ, କାର୍ତ୍ତିକ ପଟେଲ, ରିଙ୍କୁ ନାଏକଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।
