ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ଝିପି ଝିପି ବର୍ଷାରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମନ୍ଦିରର ଦ୍ୱାର ଫିଟା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ସହ ଅପରାହ୍ନରେ ରଥ ନିକଟକୁ ଆଜ୍ଞାମାଳ ବିଜେ ହୋଇଥିଲା । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରିବା ପରେ ରଥରେ ଦଉଡ଼ି ସଂଯୋଗ କରିଥିଲେ । ଅପରପକ୍ଷରେ ତିନି ରଥରେ ଶ୍ରୀବିଗ୍ରହଙ୍କ ରୁନ୍ଧା ଏବଂ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ଏହି ଦିବ୍ୟ ରୂପକୁ ଦେଖିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଜନସମୁଦ୍ର ହୋଇଥିଲା । ଜୟ ଜଗନ୍ନାଥ, ହରିବୋଲ, ଜୟ ମା’ ସୁଭଦ୍ରା ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା । ବର୍ଷାକୁ ଖାତିର ନକରି ମହାପ୍ରଭୁଙ୍କ ଏହି ଯାତ୍ରା ଦେଖିବାକୁ ଶହ ଶହ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତିନୋଟି ରଥ ଗୁଣ୍ଡିଚା ମନ୍ଦିର ଆଭିମୁଖ୍ୟ ଯାତ୍ରା କରି ସନ୍ଧ୍ୟା ସୁଦ୍ଧା ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଥିଲା । ଏହି ଅନନ୍ୟ ପରମ୍ପରା ସମତା, ବିନମ୍ରତା ଓ ସେବାଭାବର ଚିରନ୍ତନ ବାର୍ତ୍ତା ଦେଇଥାଏ । ଭକ୍ତି ଓ ଉଲ୍ଲାସରେ ପରିପୂର୍ଣ୍ଣ ଏହି ଦିବ୍ୟ ମୁହୂର୍ତ୍ତ ବୋଲି ବିବେଚନା କରାଯାଏ । ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟର ସମସ୍ତ ସଦସ୍ୟ, ଯୁବକ ସଂଘ ମହିଳା ସଂଘ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
