csstore

ବରଗଡ଼ରେ ନିଶୁଳ୍କ ସହାୟକ ଉପକରଣ ବଣ୍ଟନ ଶିବିର : ୩୪୨ ଜଣ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଉପକୃତ

ବରଗଡ଼, (ନିରୋଜ କୁମାର ପାଣୀ) : ଆଲିମକୋ ଏବଂ ବରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ସଦର ବ୍ଲକ ସ୍ଥିତ ପଞ୍ଚାୟତ ଭବନଠାରେ ବରଗଡ଼ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ନିଶୁଳ୍କ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବରଗଡ଼ ବ୍ଲକ ବିକାଶ ଅଧିକାରୀ, ବ୍ଲକ ଉପାଧ୍ୟକ୍ଷା ଏବଂ ସାଂସଦଙ୍କ ମନୋନୀତ ପ୍ରତିନିଧି ଲିପ୍ସିତ ମିଶ୍ର ଉପସ୍ଥିତ ରହି ଦିବ୍ୟାଙ୍ଗ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନଙ୍କ ସାମାଜିକ ସଶକ୍ତିକରଣ ଓ ସ୍ୱାବଲମ୍ବନ କ୍ଷେତ୍ରରେ ଏଭଳି ସହାୟକ ଉପକରଣର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଗତ ବର୍ଷ ସମସ୍ତ ବ୍ଲକ ସ୍ତରରେ ଆୟୋଜିତ ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କୁ ହ୍ୱିଲ୍ ଚେୟାର, ମୋଟରଚାଳିତ ଟ୍ରାଇସାଇକେଲ, ୱାକିଂ ଷ୍ଟିକ୍, ୱାକର, ଟ୍ରାଇପଡ୍ ୱାକିଂ ଷ୍ଟିକ୍, ଶ୍ରବଣ ଯନ୍ତ୍ର, ବେଡ୍ ପ୍ୟାନ ଏବଂ ବ୍ୟାକ୍ ସପୋର୍ଟ ବେଲ୍ଟ ଆଦି ସହାୟକ ଉପକରଣ ବଣ୍ଟନ କରିଥିଲେ । ସୂଚନାଯୋଗ୍ୟ କି, ଏହି ଶିବିରରେ ମୋଟ ୩୪୨ ଜଣ ହିତାଧିକାରୀଙ୍କୁ ସହାୟକ ଉପକରଣ ପ୍ରଦାନ କରାଯାଇ ଥିବାବେଳେ ସେଥିମଧ୍ୟରୁ ୨୮୪ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ୫୮ ଜଣ ବରିଷ୍ଠ ନାଗରିକ ଉପକୃତ ହୋଇଛନ୍ତି ।

jayashree
Leave A Reply

Your email address will not be published.