csstore

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତ ବ୍ୟକ୍ତି ଜଣକ ନେପାଳ ମାଝି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଜଡ଼ାମୁଣ୍ଡା ଗାଁ ଗୋଲେଇପଡ଼ାର ନେପାଳ ଚଳିତ ରବିଋତୁରେ ୩ ଏକର ଜମିରେ ଧାନ ଓ ୨ ଏକରରେ ଚିନାବାଦାମ ଚାଷ କରିଥିଲେ । ଧାନ ବିକ୍ରି ପାଇଁ ଆବେଦନ କରିବା ପରେ ଗତ ମେ’ ୩୦ରେ ସେ ଟୋକନ୍ ପାଇଥିଲେ । ୩୬.୯୬ କୁଇଣ୍ଟାଲ ଧାନ ବିକ୍ରି ପାଇଁ ତାଙ୍କୁ ଅନୁମତି ମିଳିଥିଲା । ତେବେ ଟୋକନ ପାଇବାର ୨୪ ଦିନ ପରେ ବି ଧାନ ବିକ୍ରି କରିପାରି ନ ଥିଲେ । ଫଳରେ ଟ୍ରାକ୍ଟର, ଡ୍ରେସର ମେସିନ ଓ ୩ ଛୁଆଙ୍କ ପାଠପଢ଼ା ବାବଦ ଖର୍ଚ୍ଚକୁ ନେଇ ମାନସିକ ଚାପରେ ରହିଥିଲେ । ଗତ ସୋମବାର ଧାନ ବିକ୍ରି ସମସ୍ୟାକୁ ନେଇ ଜଡ଼ାମୁଣ୍ଡା ମଣ୍ଡିର ଚାଷୀମାନେ ଧାନ ବିକ୍ରି ଦାବିରେ ସି.ଏସ.ଓ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ । ଏଥିରେ ନେପାଳ ମଧ୍ୟ ସାମିଲ ହୋଇଥିଲେ । ଅପରାହ୍ନରେ ଘରକୁ ଫେରିବାରୁ ଟଙ୍କା ପାଇଁ ପରିବାର ଲୋକଙ୍କ ସହ ତର୍କ ବିତର୍କ ହୋଇଥିଲା । ଧାନ ବିକ୍ରି ହେଉନି ଟଙ୍କା କେଉଁଠୁ ଆସିବ ? ଟଙ୍କା ଆସିଲେ ସିନା ଧାରଉଧାର ଶୁଝିବି ଓ ପରିବାର ଚଳାଇବି ବୋଲି ସେ କହିଥିବା ଜଣାପଡ଼ିଛି । ତେବେ, ପରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ପ୍ରାଣ ତ୍ୟାଗ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ଆଦିବାସୀ ସଂଘ ପକ୍ଷରୁ ସରକାରଙ୍କ ଖାମଖିଆଲି ନୀତିକୁ ଦାୟୀ କରିଛନ୍ତି ସଂଘର ସଭାପତି ।

jayashree
Leave A Reply

Your email address will not be published.