jayashree

ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଶନିବାର ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଆଦର୍ଶପଡାସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟ୍ୟକ୍ଷତା କରିଥିଲେ । ସମସ୍ତଙ୍କୁ ସ୍ୱାଗତ କରି ଗତ ତିନିମାସ ଭିତରେ ନାଗରିକ କମିଟି କରିଥିବା କାର୍ଯ୍ୟ ଉପରେ ସୂଚନା ଦେଇଥିଲେ । ସଂପାଦକ ମଧୁସୂଦନ ନାୟକ ପୂର୍ବ ସଭା ବିବରଣୀ ପାଠ କରିବା ସଙ୍ଗେସଙ୍ଗେ ଜିଲ୍ଲାର ଉନ୍ନତି ପାଇଁ ଗଠନ ମୂଳକ ପରାମର୍ଶ ଦେବାପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗିରବାସୀଙ୍କ ସରଳତାର ସୁଯୋଗ ନେଇ ଟାଟା ପାୱାର ଅଘୋଷିତ ବିଦ୍ୟୁତ କାଟ କରିବା ଫଳରେ ଲୋକ ହନ୍ତସନ୍ତ ହେବା ସହିତ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ବିଦ୍ୟୁତକାଟ ବନ୍ଦ କରାଯିବା ସଙ୍ଗେସଙ୍ଗେ ଖାଉଟିଙ୍କୁ ୩୦୦ ୟୁନିଟ ମାଗଣାରେ ବିଦ୍ୟୁତ ଯୋଗାଇଦେବାପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା ସଭାପତି ଜଣାଇଥିଲେ । ପୁନଶ୍ଚ ବଲାଙ୍ଗିର ରେଲୱେ ଷ୍ଟେସନରେ ପିଟ୍‌ ଲାଇନ ନିର୍ମାଣ କରିବା ସଙ୍ଗେସଙ୍ଗେ ସମ୍ବଲପୁରରୁ ବାହାରୁଥିବା ବିଭିନ୍ନ ଟ୍ରେନ ଟିଟିଲାଗଡ ତଥା ବିଶାଖାପାଟଣାରୁ ଚଲାଇବାପାଇଁ ତଥା ବିଶାଖାପାଟଣାରୁ ପ୍ରୟାଗରାଜ ଓ ଦିଲ୍ଲୀ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଚଳାଚଳ କରି ବଲାଙ୍ଗିରରେ ୫ ମିନିଟ୍‌ ରହଣି ପାଇଁ ପ୍ରଧାନମନ୍ତ୍ରୀ ତଥା ରେଳମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ବିଷୟ ଆଲୋଚନା ହୋଇଥିଲା । ପୌରାଞ୍ଚଳରେ ୧୧ଟି ଜଳାଶୟର ପଙ୍କୋଦ୍ଧାର କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟସବୁ ବର୍ଷାପୂର୍ବରୁ ଶେଷ କରିବା, କିଛି ଜଳାଶୟକୁ ଆଦର୍ଶ ପୁଷ୍କରିଣୀରେ ପରିଣତ କରି ସୌନ୍ଦର୍ଯ୍ୟକରଣ କରିବା, ପୂଜାପାଠର ଆବର୍ଜନା ଭସାଣୀ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ସୃଷ୍ଟି କରିବା, ପ୍ରତ୍ୟେକ ପୁଷ୍କରିଣୀରେ ଗୋଟିଏ ଗୋଟିଏ ଦଶାଘାଟ ତିଆରି କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଅନୁରୋଧ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଟାଉନହଲ ମରାମତି କାମ, ବାଏ-ପାସ୍‌ ରାସ୍ତାକାମ ଶୀଘ୍ର ଶେଷ କରିବା ସହ, ଟିଟିଲାଗଡ ରାସ୍ତାରେ ଥିବା ଅଳିଆ ଗଦାକୁ ଠିକ୍‌ ଭାବରେ ପରିଚାଳନା କରିବା ପାଇଁ କତ୍ତୃପକ୍ଷଙ୍କୁ ଅନୁରୋଧ କରିବାପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ପୁନଶ୍ଚ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଅତିକମ୍‌ରେ ଜଣେ ହୃଦରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାପାଇଁ ତଥା ପ୍ରସ୍ତାବିତ କୃଷି ମହାବିଦ୍ୟାଳୟ ତଥା ଇଂଜିନିୟରିଂ କଲେଜ ବଲାଙ୍ଗିର ସହର ଆଖପାଖରେ କରିବାପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିବା ପାଇଁ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଛି । ଆଲୋଚନାରେ ରାହାସ ବିହାରୀ ମାଝି, ଧର୍ମବ୍ରତ ରଥ, ରିତରାଜ ସିଂ, ଅଶୋକ ମିଶ୍ର, ମୋତିଲାଲ ସାହୁ, ପ୍ରଦୀପ ସାହୁ, ମଳୟ ତ୍ରିପାଠୀ, ହରେକୃଷ୍ଣ ପଟେଲ, ଅନିଲ ନନ୍ଦ, ପ୍ରକାଶ ନେପାକ, କିଶୋର ପୁରୋହିତ, ନରେନ୍ଦ୍ର ଆଚାର୍ଯ୍ୟ, ବିମଲ ଚକ୍ରବର୍ତ୍ତୀ, ରମେଶ ନାଏକ ଓ ସତ୍ୟବାଦୀ ନାଏକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ତ୍ରିନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.