
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିର ତରଫରୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ଆଦର୍ଶ ଥାନା, ବଲାଙ୍ଗିରରେ ଏକ ଲିଖିତ ଏଫଆଇଆର ଦାଖଲ କରାଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଲତା ମାଝି ଦାଖଲ କରିଥିବା ଏହି ଅଭିଯୋଗରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମାଜ ସମ୍ପର୍କରେ ଅପମାନଜନକ ଓ ଜାତିଗତ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାୟୀ, ଗତ ୪ ଜୁନ ୨୦୨୬ ତାରିଖରେ ଏକ ଟେଲିଭିଜନ ସାକ୍ଷାତ୍କାର ସମୟରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମ୍ପ୍ରଦାୟକୁ ନେଇ ଅପମାନସୂଚକ ଶବ୍ଦ “ଆଦିବାସୀ ଦୂଷିତ” ପ୍ରୟୋଗ କରିଥିଲେ । ଏହି ମନ୍ତବ୍ୟ ଆଦିବାସୀ ସମାଜର ସମ୍ମାନ, ମର୍ଯ୍ୟାଦା ଓ ସାମାଜିକ ଗରିମା ପ୍ରତି ଗୁରୁତର ଆଘାତ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏପରି ବକ୍ତବ୍ୟ ଦ୍ୱାରା ସମଗ୍ର ଆଦିବାସୀ ସମ୍ପ୍ରଦାୟର ଭାବନା ଆହତ ହୋଇଥିବା ସହ ସମାଜର ଲୋକଙ୍କୁ ଜାଣିଶୁଣି ଅପମାନିତ କରାଯାଇଛି ବୋଲି ସଂଘ ଉଲ୍ଲେଖ କରିଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗରେ ଉଲ୍ଲେଖ କରିଛି ଯେ, ଜନପ୍ରତିନିଧି ଭାବେ ଜଣେ ବିଧାୟକଙ୍କ ଠାରୁ ସମ୍ବିଧାନିକ ମୂଲ୍ୟବୋଧ ଓ ସାମାଜିକ ସମ୍ମାନ ପ୍ରତି ଅଧିକ ଦାୟିତ୍ୱଶୀଳ ଆଚରଣ ଆଶା କରାଯାଏ । କିନ୍ତୁ ଆଦିବାସୀ ସମାଜ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କରି ସେ ସାମାଜିକ ସମ୍ପ୍ରୀତି ଓ ସାମ୍ବିଧାନିକ ମୂଲ୍ୟବୋଧକୁ କ୍ଷୂର୍ଣ୍ଣ କରିଥିବା ଅଭିଯୋଗ ହୋଇଛି । ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନୃଶଂସତା ନିବାରଣ) ଆଇନ, ୧୯୮୯ (ସଂଶୋଧିତ ୨୦୧୫ ଓ ୨୦୧୮) ଏବଂ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ପ୍ରଯୁଜ୍ୟ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଲତା ମାଝି ଏଫଆଇଆର ଦେଇଛନ୍ତି । ଥାନାରେ ଅଭିଯୋଗ ଦାଖଲ ସମୟରେ ବ୍ଲକ ସଭାପତି ପଳେଶ୍ୱର ଭୋଇ, ଅଚ୍ୟୁତ ଧରୁଆ, ମହାଦେବ ବରିହା, ମଧୁ ବିଶ୍ୱାଳ, ମହାଦେବ ଭୋଇ ସହିତ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।