jayashree

ସାର-ବିହନ ବିକ୍ରିରେ ଅନିୟମିତତା ଅଭିଯୋଗ : ବ୍ଲକ କୃଷି ଅଧିକାରୀକୁ ଦାବି ଜଣାଇବା ସହ ଆନ୍ଦୋଳନ ପାଇଁ ଚେତାବନୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତରେ ଦିନକୁ ଦିନ ସାର ଓ ବିହନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲାଇସେନ୍ସ ପ୍ରାପ୍ତ ଡିଲର ଓ ହୋଲସେଲରମାନେ ସରକାରୀ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ସାର ଓ ବିହନ ବିକ୍ରି କରୁଥିବା ସହ ଚାଷୀଙ୍କୁ ବିଲ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ଯୁବ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଅଜିତ କୁମାର ଯୋଷୀଙ୍କ ନେତୃତ୍ୱରେ ଚାଷୀ ମାନେ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ କୃଷି ଅଧିକାରୀ ସ୍ମାରକୀ ପ୍ରଧାନଙ୍କ ସହ ଆଲୋଚନା କରି କୃଷି ଅଧିକାରୀଙ୍କୁ ତାଗିଦ କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳ ହେଉଛି ଦାଦନ ପ୍ରବଣ ଅଞ୍ଚଳ । ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଚାଷୀମାନେ ବଙ୍ଗୋମୁଣ୍ଡା ସ୍ଥିତ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ । କପା, ଧାନ, ସାର, କୀଟନାଶକ ଔଷଧ ସହ ଚାଷବାସରେ ଲାଗୁଥିବା ବିଭିନ୍ନ ସାମଗ୍ରୀ ଚଢା ଦରରେ ବିକ୍ରି ଚାଲୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ କଲେ ଆନ୍ଦୋଳନ କରି କୃଷି କାର୍ଯ୍ୟାଳୟକୁ ତାଲା ମାରିବା ପାଇଁ ଚେତାବନୀ ଦେଇଥିଲେ । ଏଥିରେ ବହୁ ଚାଷୀ ଭାଇ ସାମିଲ ହୋଇଥିଲେ ।

Leave A Reply

Your email address will not be published.