
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଭିନ୍ନ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଆଧାରରେ କନ୍ଧମାଳ ପୁଲିସ ଏକ ବଡ଼ ମାଓବାଦୀ ବିରୋଧୀ ଅଭିଯାନ ଚଲାଇ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ସୂଚନା ଅନୁଯାୟୀ, ମାଓବାଦୀମାନେ କୋଟଗଡ଼, ବାଲିଗୁଡ଼ା ଓ ତୁମୁଡିବନ୍ଧ ଥାନା ଅଞ୍ଚଳର ସୀତାଗୁଡ଼ା, ଗଞ୍ଜୁଗୁଡ଼ା, କୁଟିବାରି, ଗୁଦ୍ରିକିଆ ଏବଂ ଲାଞ୍ଜାମ ଅଞ୍ଚଳରେ ଗୁପ୍ତ ଭାବେ ବିଭିନ୍ନ ଅସ୍ତ୍ର ସାମଗ୍ରୀ ଲୁଚାଇ ରଖିଥିଲେ । ଏହି ସୂଚନା ପାଇବା ପରେ କନ୍ଧମାଳ ପୁଲିସ ପକ୍ଷରୁ ୨ଟି ଏସଓଜି ଦଳ ଓ ୧ଟି ଡିଭିଏଫ୍ ଦଳକୁ ନେଇ ମିଳିତ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଅଭିଯାନ ସମୟରେ କୋଟଗଡ଼ ଥାନା ଅଧୀନସ୍ତ ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଗୁପ୍ତ ଡମ୍ଫ ସ୍ଥାନ ଠାବ କରାଯାଇଥିଲା । ପରେ ବମ୍ ନିଷ୍କ୍ରିୟକରଣ ଦଳ ଆବଶ୍ୟକ ସତର୍କତା ଅବଲମ୍ବନ କରି ସମଗ୍ର ଅଞ୍ଚଳକୁ ତଲାସୀ କରିଥିଲେ । ଯାହାଦ୍ୱାରା କୌଣସି ଆଇଇଡି ବା ବିସ୍ଫୋରକ ପୋତାଯାଇଥିବା ସମ୍ଭାବନାକୁ ନଷ୍ଟ କରାଯାଇଥିଲା । ଏହି ଅଭିଯାନରେ ୧ଟି .୩୦୩ ରାଇଫଲ, ୨ଟି ୧୨ ବୋର ବନ୍ଧୁକ, ୨ଟି ସିଙ୍ଗଲ ଶଟ୍ ଗନ୍, ୧ଟି ୮ ଏସ୍ଏମ୍ ବନ୍ଧୁକ, ୧ଟି .୩୦୩ ମାଗାଜିନ୍, ୧୮ଟି .୩୦୩ ଗୁଳି, ୧୦ଟି ୧୨ ବୋର କାର୍ଡ଼ଜ, ୩୫ଟି ୮ ଏସ୍ଏମ୍ ଗୁଳି, ୧୦ ମିଟର କୋଡେକ୍ସ ତାର, ୫ଟି ଇଲେକ୍ଟ୍ରିକ ଡିଟୋନେଟର ସହ ବିଭିନ୍ନ ବ୍ୟବହାର ସାମଗ୍ରୀ ଜବତ କରାଯାଇଛି । ଏଥିମଧ୍ୟରେ ପୋଷାକ, ଚପଲ, ଛତା, ଟିଫିନ୍ କ୍ୟାରିଅର, ଚା ପ୍ୟାକେଟ, ଟର୍ଚ୍ଚ ଓ ପ୍ଲାଷ୍ଟିକ ଡ୍ରମ ମଧ୍ୟ ରହିଛି । କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦ କହିଛନ୍ତି ଯେ, ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ମାଓବାଦୀଙ୍କର ଥିବା ସ୍ପଷ୍ଟ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରାଯାଇଛି । ତଥାପି ମାଓବାଦୀମାନେ ପୂର୍ବରୁ ଲୁଚାଇ ରଖୁଥିବା କିଛି ପୁରୁଣା ଡମ୍ପ ଏବେ ବି ରହିଥିବାରୁ ନିୟମିତ କମ୍ବିଂ ଅପରେସନ ମାଧ୍ୟମରେ ସେଗୁଡ଼ିକୁ ଉଦ୍ଧାର କରାଯାଉଛି । ଭବିଷ୍ୟତରେ ମାଓବାଦୀ କାର୍ଯ୍ୟକଳାପର ପୁନରୁତ୍ଥାନକୁ ରୋକିବା ସହ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଉଦ୍ଧାର ପାଇଁ ଏସଓଜି, ଡିଭିଏଫ୍, ସିଆରପିଏଫ୍ ଓ ବିଏସଏଫ୍ ପକ୍ଷରୁ ନିୟମିତ ଭାବେ ଏରିଆ ଡୋମିନେସନ ଅପରେସନ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।