
- ଜେଲ୍ ଗଲେ ୨ଭାଇ, ଏବେବି ଫେରାର ୪ଜଣ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ସାନଝରବାହାଲି ଗ୍ରାମରେ ପୂର୍ବ ଶତ୍ରୁତାରୁ ଏକ ପରିବାରକୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ଆଉ ୪ଜଣ ଫେରାର ଥିବା ଜଣାପଡିଛି । ଗିରଫ ହୋଇ ଜେଲ୍ ଯାଇଥିବା ଦୁଇ ସମ୍ପର୍କୀୟ ଭାଇ ହେଲେ ମୋହନ ନାଗ ଓ ବାଳକୃଷ୍ଣ ନାଗ । ଅଭିଯୁକ୍ତମାନେ ଗ୍ରାମର ମହିଳା ସୁରେଖା ବାଗ(୩୫), ଭାଇ ଗଜିନ୍ଦ୍ର ବାଗ(୪୫) ଓ ଗଜିନ୍ଦ୍ରଙ୍କ ପୁଅ ନିର୍ମଳ ବାଗ(୨୨)ଙ୍କୁ ବାଉଁଶ ବାଡ଼ି(ରିପ୍) ଓ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ମୁଣ୍ଡ ଫାଟି ଓ ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆହତ ହୋଇ ସମସ୍ତେ ରକ୍ତାକ୍ତ ହୋଇଥିଲେ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଥାନାରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିଲା । ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ପରିବାରର ଜଣେ ଯୁବକ କିଛି ମାସ ତଳେ ଏକ ଶୁଦ୍ଧିକ୍ରିୟାକୁ ଯାଇ ଫେରିବା ବେଳେ ତାଙ୍କ ଝୁଲନ୍ତା ମୃତଦେହ ଏକ ଗଛରୁ ଉଦ୍ଧାର ହୋଇଥିଲା । ଯୁବକଙ୍କ ମୃତ୍ୟୁ ପାଇଁ ମରଣାନ୍ତକ ଆକ୍ରମଣ କରିଥିବା ପରିବାରର ହିଁ ହାତ ରହିଛି ବୋଲି ପୀଡ଼ିତ ପରିବାର ସବୁବେଳେ ଅଭିଯୋଗ କରି ଆସୁଥିଲେ । ଏହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହିଁ ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ଲିଖିତ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୁଲିସ କେଶ ନଂ ୧୧୧/୨୬ ରୁଜ୍ଜୁ କରି ଥାନା ଏସ୍ଆଇ ଅଭୟ କୁମାର ପଧାନ ଘଟଣାର ତଦନ୍ତ କରୁଥିଲେ । ପୁଲିସ ଏହି ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦୁଇ ସମ୍ପର୍କୀୟ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ଓ ଅନ୍ୟ ୪ଜଣ ଫେରାର ଥିବାରୁ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।