
- ଜଳ ନିଷ୍କାସନ ବ୍ୟବସ୍ଥା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଐତିହାସିକ ପ୍ରତାପସାଗର ଓ ମହାରାଣୀସାଗର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପାଇଁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଆଜି ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ ସ୍ଥଳ ପରିଦର୍ଶନ କରିଥିଲେ । ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ଏହା ତାଙ୍କର ଦ୍ୱିତୀୟ ପରିଦର୍ଶନ ଥିଲା । ପ୍ରତାପସାଗର ପରିଦର୍ଶନ ସମୟରେ ବିଧାୟକ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ରୁଗୁଡିପଡା ଅଞ୍ଚଳରୁ ଆସୁଥିବା ବର୍ଷାଜଳ ବନ୍ଧ ମଧ୍ୟକୁ ପ୍ରବେଶ ନକରି ଭିନ୍ନ ମାର୍ଗରେ ନିଷ୍କାସନ ହେବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଦାବି ରଖିଥିଲେ । ବର୍ଷା ଋତୁ ଆସିଥିବାରୁ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଧାୟକ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତାପସାଗରରେ ଦୀର୍ଘଦିନ ଧରି ଜମି ରହିଥିବା ବିପୁଳ ପରିମାଣର ପଙ୍କକୁ ପୌରପାଳିକା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉତ୍ତୋଳନ କରାଯାଇଛି । ଏହି କାର୍ଯ୍ୟ ସମୟରେ କିଛି ସ୍ଥାନରେ ରାସ୍ତା ଉପରେ ମାଟି ପଡିଥିବା ନେଇ ଉଠିଥିବା ଅଭିଯୋଗ ପ୍ରସଙ୍ଗରେ ପୌରାଧ୍ୟକ୍ଷା ଲିକା ସାହୁ ସାମୟିକ ଅସୁବିଧାକୁ ସହଯୋଗର ମନୋଭାବ ସହ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ବିଧାୟକ ମଧ୍ୟ ସହରର ଦୀର୍ଘମିଆଦି ଉନ୍ନୟନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିବା ବେଳେ ବନ୍ଧ ଗୁଡିକର ସୁରକ୍ଷା ପାଇଁ ସମସ୍ତ ପଡାରେ ଏକଏକ ବରିଷ୍ଠ ନାଗରିକ ମାନଙ୍କୁ ନେଇ ସୁରକ୍ଷା କମିଟି ଗଠନ କରିବାକୁ ପୌରପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବିଧାୟକ ମହାରାଣୀସାଗର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଦୁଇ ବର୍ଷ ପୂର୍ବରୁ ଏଠାରେ ହୋଇଥିବା ମାଟି ଉନ୍ନୟନ କାର୍ଯ୍ୟର ସକାରାତ୍ମକ ଫଳାଫଳ ଏବେ ଦୃଶ୍ୟମାନ ହୋଇଛି । ସାଗରରେ ସ୍ୱଚ୍ଛ ଓ ନିର୍ମଳ ଜଳ ସଂରକ୍ଷିତ ରହିଥିବାବେଳେ ପ୍ରତିଦିନ ହଜାର ହଜାର ଲୋକ ଏହାର ସୁବିଧା ଉପଭୋଗ କରୁଛନ୍ତି । ଖରାଦିନରେ ମଧ୍ୟ ଲୋକମାନେ ଥଣ୍ଡା ଜଳରେ ସ୍ନାନ କରୁଥିବା ଦେଖି ବିଧାୟକ ସନ୍ତୋଷ ବ୍ୟକ୍ତ କରିଥିଲେ । ମହାରାଣୀସାଗରରେ ବାହାର ଜଳ ପ୍ରବେଶ ରୋକିବା ପାଇଁ ଏକ ବଡ଼ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି । ଉପରମୁଣ୍ଡରୁ ନାଳ ଦେଇ ଆସୁଥିବା ପାଣିକୁ ସାଗର ଭିତରକୁ ନପଠାଇ ତଳମୁଣ୍ଡ ପର୍ଯ୍ୟନ୍ତ ନେବା ପାଇଁ ଏହି ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ଏହି ଡ୍ରେନର କଂକ୍ରିଟକରଣ କାମ ଚାଲିଥିବା ବିଧାୟକ ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ ସମୟରେ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କାଉନସିଲର ଗାଙ୍ଗାଧର ଚାନ୍ଦ, ଶମ୍ଭୁ ନାଗ, ଶତୃଘ୍ନ ବାଗ, ନନ୍ଦିନୀ ପୋଢ଼, ସନ୍ତୋଷିନୀ ପୋଢ଼, ବରିଷ୍ଠ ନେତା ବିଧୁଭୂଷଣ ତ୍ରୀପାଠୀ, ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ, ମିଡିଆ ସେଲ ସଦସ୍ୟ ବିଭୂତିଭୂଷଣ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ କର୍ମୀମାନେ ଉପସ୍ଥିତ ଥିଲେ ।