jayashree

ବାରହା ମାରିବାକୁ ବିଛାଇଥିଲେ ଫାସ : ଚାଲିଗଲା ନିରୀହ ଯୁବକଙ୍କ ଜୀବନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ମୃତ୍ୟୁର ଫାସ ଶେଷରେ ଜଣେ ନିରୀହ ଯୁବକଙ୍କ ଜୀବନ ନେଇଯାଇଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ପଞ୍ଚାୟତର କୁଠୁର୍ଲା ଗ୍ରାମରେ ଘଟିଥିବା ଏହି ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁଯାୟୀ, କୁଠୁର୍ଲା ଗ୍ରାମର ଗଦାଧର ମଲ୍ଲିକ (୩୩) ଗୁରୁବାର ରାତି ପ୍ରାୟ ଆଠଟା ସମୟରେ ଗ୍ରାମ ନିକଟସ୍ଥ ଛୋଟିଆ କେନାଲକୁ ମାଛ ଧରିବା ଉଦ୍ଦେଶ୍ୟରେ ଘରୁ ବାହାରିଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ, ତାଙ୍କ ପାଇଁ ଅପେକ୍ଷା କରୁଛି ଏକ ଭୟଙ୍କର ମୃତ୍ୟୁର ଫାସ । ଗ୍ରାମର କିଛି ଅସାମାଜିକ ଲୋକ ବାରହା ଶିକାର ପାଇଁ ଟ୍ରାନ୍ସଫର୍ମରରୁ ବିଦ୍ୟୁତ ସଂଯୋଗ ନେଇ ଜମି ନିକଟରେ ତାର ବିଛାଇ ରଖିଥିଲେ । ଅନ୍ଧାର ରାତିରେ ଗଦାଧର ସେହି ତାର ଦେଖି ନପାରି ସେଥିରେ ଫସି ଯାଇଥିଲେ ଏବଂ ବିଦ୍ୟୁତ ଆଘାତରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଅଭିଯୋଗ ଅନୁସାରେ, ଘଟଣା ପରେ ନିଜ ଅପରାଧ ଲୁଚାଇବା ପାଇଁ ଦୁର୍ବୃତ୍ତମାନେ ମୃତଦେହକୁ ପ୍ରାୟ ୨ରୁ ୩ କିଲୋମିଟର ଦୂର ଜଙ୍ଗଲ ଭିତରକୁ ବୋହି ନେଇ ପୋତି ଦେଇଥିଲେ । ଏହି ଅମାନବିକ କାଣ୍ଡ ଜନସାଧାରଣଙ୍କ ମଧ୍ୟରେ ଘୋର କ୍ଷୋଭ ଏବଂ ଆକ୍ରୋଶ ସୃଷ୍ଟି କରିଛି । ସବୁଠାରୁ ବେଶୀ ଦୁଃଖଦାୟକ ଦୃଶ୍ୟ ହେଉଛି ମୃତକଙ୍କ ପରିବାରର ଅବସ୍ଥା । ଗଦାଧରଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ କୁନି ଝିଅ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ସେମାନଙ୍କ ଭବିଷ୍ୟତ ଆଜି ଅନିଶ୍ଚିତତାର ଅନ୍ଧକାରରେ ଠିଆ ହୋଇଛି । ପରିବାରର କାନ୍ଦଣା ଏବଂ ଛୋଟ ଝିଅଟିର ଅସହାୟ ଚାହାଣି ପ୍ରତ୍ୟେକ ସମ୍ବେଦନଶୀଳ ମଣିଷଙ୍କ ହୃଦୟକୁ ବିଦୀର୍ଣ୍ଣ କରୁଛି । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ତତ୍ପରତା ଦେଖାଇ ଗ୍ରାମରେ ପହଞ୍ଚି ଚାରିଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବାବେଳେ ଆଉ ଦୁଇଜଣ ଫେରାର ଥିବା ଜଣାପଡ଼ିଛି ।

Leave A Reply

Your email address will not be published.