
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତର ମାଟିଖାଲ ଗ୍ରାମଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଯଶୋଦା ଫାଉଣ୍ଡେସନ୍’ ପକ୍ଷରୁ ଏକ ବିଭିନ୍ନ ପନିପରିବା ବିହନ ଆବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଗ୍ରାମର ପ୍ରାୟ ୩୦ ଜଣ ମହିଳାଙ୍କୁ ଭେଣ୍ଡି, ଜହ୍ନି, କାକୁଡ଼ି, ଲାଉ, କଲରା ଓ ଶାଗ ସମେତ ଆଠ ପ୍ରକାରର ଉନ୍ନତ ବିହନ ବଣ୍ଟନ କରାଯାଇଥିଲା । ଏହି ସହାୟତା ପାଇ ଗ୍ରାମର ମହିଳାମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ଯଶୋଦା ଫାଉଣ୍ଡେସନ୍ ଟ୍ରଷ୍ଟର ମୁଖ୍ୟ ଶ୍ରୀମତୀ ସାଗରିକା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବିଶିଷ୍ଟ ସାହିତ୍ୟିକ ଓ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ସନ୍ତୋଷ ଶତପଥୀ ଏବଂ ପୁଷ୍ପା ସାହୁ ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କୁ ବିହନ ଆବଣ୍ଟନ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ ।