
କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗିର, (କେପିଏନ୍ଏସ୍) : ପଦୋନ୍ନତି ପାଇ କାହ୍ନୁ ଚରଣ ଧରୁଆ ସିନିଅର ଏସଇଏସ ପ୍ରଧାନଶିକ୍ଷକ ଭାବେ ପଞ୍ଚାୟତ ହାଇସ୍କୁଲ କୁସଙ୍ଗରେ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ବିଲେଇସର୍ଡା ହାଇସ୍କୁଲରେ ଟିଜିଟି(କଳା)ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଶ୍ରୀ ଧରୁଆ ବିଦ୍ୟାଳୟରେ ପହଞ୍ଚିବା ପରେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସର୍ଜନ ନେଗୀ, ଶିକ୍ଷକ ସଚ୍ଚିଦାନନ୍ଦ ସାହୁ, ବିଜୟ କୁମାର ପ୍ରଧାନ, ଲକ୍ଷ୍ମୀକାନ୍ତ ପଟେଲ, କରୁଣାକର ପଟେଲ, କୃଷ୍ଣକାନ୍ତ ମହାରଣା, ସୁଶାନ୍ତ ରଞ୍ଜନ ସାହୁ, ସରୋଜ କୁମାର ରାଉତ, ଶିକ୍ଷା କର୍ମଚାରୀ ମୁରାରୀ ଚନ୍ଦ୍ର ପୋଢ଼, ବିଷ୍ଣୁ ପ୍ରସାଦ ବେହେରା, କାଞ୍ଛାନିଧି ନାଏକ, ସୁଶାନ୍ତ ଧରୁଆ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁର୍ବାଦଳ ଦିଶ୍ରୀ । ବିଦ୍ୟାଳୟର ଉନ୍ନତି ଦିଗରେ ତାଙ୍କ ନେତୃତ୍ୱରେ ସଫଳତା ହାସଲ ହେବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ । ନିଜ ଅଭିଭାଷଣରେ ଶ୍ରୀ ଧରୁଆ ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ବିକାଶ, ଶୃଙ୍ଖଳା ବଜାୟ ରଖିବା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଦିଗରେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଥିଲେ । ନୂତନ ପ୍ରଧାନ ଶିକ୍ଷକ ଶ୍ରୀ ଧରୁଆଙ୍କ ଯୋଗଦାନ ପର୍ଯ୍ୟନ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସର୍ଜନ ନେଗୀ ସଫଳତାର ସହ ବିଦ୍ୟାଳୟର ପ୍ରଶାସନିକ ଦାୟିତ୍ୱ ତୁଲାଇ ଆସୁଥିଲେ ।
ତାଙ୍କର ନିଷ୍ଠାପର ସେବା, ଦକ୍ଷ ନେତୃତ୍ୱ ଏବଂ ବିଦ୍ୟାଳୟର ଉନ୍ନତି ପ୍ରତି ଅବଦାନକୁ ସ୍ୱୀକୃତି ଦେଇ ଶିକ୍ଷକ ଓ କର୍ମଚାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଶ୍ରୀ ନେଗୀ ପଦୋନ୍ନତି ପାଇ ହରେକୃଷ୍ଣ ମହତାବ ହାଇସ୍କୁଲ, ଲୋଇସିଂହାର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ନେଗୀ ନିଜ କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସହଯୋଗ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।