jayashree

ଲୁହୁରେନପାଲିବାସୀଙ୍କ ସମସ୍ୟା ଶୁଣିଲେ ନରସିଂହ

  • ପାଣି, ବିଜୁଳି ସମସ୍ୟା ଉତ୍କଟ, ତିନି ମାସ ହେଲା ମିଳିନି ଭତ୍ତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ବିଧାୟକ ନରସିଂହ ମିଶ୍ର ଉଡାର ପଞ୍ଚାୟତର ଲୁହୁରେନପାଲି ଗ୍ରାମ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଛନ୍ତି । ଗ୍ରାମରେ ପାଣି ଓ ବିଜୁଳି ସମସ୍ୟା ଉତ୍କଟ ଥିବା ବେଳେ ହିତାଧିକାରୀମାନେ ତିନି ମାସ ହେବ ଭତ୍ତା ପଇସା ପାଇନଥିବା ଅଭିଯୋଗ କରିଥିଲେ । ଶ୍ରୀ ମିଶ୍ର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀଙ୍କୁ ଫୋନ କରି ଦୁଇଟି ଟ୍ୟୁବୱେଲ ଖନନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତା’ ସହ ଡବଲ ଇଞ୍ଜିନ ସରକାର ସମ୍ବେଦନଶୀଳ ହୋଇ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । ଗ୍ରାମବାସୀଙ୍କ ସହ ହୋଇଥିବା ଆଲୋଚନାରୁ ଜଣାପଡିଲା ଯେ, ଲୁହୁରେନପାଲି ଗାଁରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧରିଛି । ଲୋକଙ୍କୁ ପିଇବା ପାଣି ପାଇବା ପାଇଁ ଅନେକ ଦୂରକୁ ଯିବାକୁ ପଡୁଛି । ଗାଁରେ ଥିବା ବିଜୁଳି ଖୁଣ୍ଟ ଗୁଡିକରେ ଲାଇଟ ଜଳୁନାହିଁ । ସେ ସବୁର ଶୀଘ୍ର ମରାମତି ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଏହା ସହ ଭତ୍ତା ପାଉଥିବା ହିତାଧିକାରୀମାନେ ଆଜକୁ ତିନିମାସ ହେବ ଭତ୍ତା ପାଇ ନାହାନ୍ତି । ଗୋଟିଏ ପଟେ ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ତିନିମାସ ଭତ୍ତା ନ ପାଇ ହିତାଧିକାରୀମାନେ ଘୋର ଅସୁବିଧାରେ କାଳତିପାତ କରୁଥିବାରୁ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଶୀଘ୍ର ଧ୍ୟାନ ଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଗାଁରେ ଅନେକ ଲୋକ ୬୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେମାନଙ୍କର ନାମ କାହିଁକି ଭତ୍ତା ହିତାଧିକାରୀ ଭାବେ ପ୍ରଶାସନ ପଞ୍ଜିକୃତ କରୁନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ଏବଂ ଗାଁରେ ଥିବା ବିକଳାଙ୍ଗମାନେ ରାଜ୍ୟ ସରକାର ଦେଉଥିବା ଭତ୍ତା ବ୍ଲକ ଅଫିସକୁ ଯାଇ ଆଣିବାକୁ ଅକ୍ଷମ ହେଉଥିବାରୁ ସେମାନଙ୍କୁ ପ୍ରଶାସନ ତାଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଗାଁରେ ରହୁଥିବା ଦଳିତ ଆଦିବାସୀ ପଡାରେ କୌଣସି ଡ୍ରେନେଜ ବ୍ୟବସ୍ଥା ନାହିଁ । ତେଣୁ ଲୋକେ ବ୍ୟବହାର କରୁଥିବା ପାଣି ଡ୍ରେନେଜ ହୋଇ ପାରୁନଥିବାରୁ ବହୁତ ଅସୁବିଧା ହେଉଛି । ତେଣୁ ବ୍ଲକ ପ୍ରଶାସନ ଯେତେ ଶୀଘ୍ର ହେବ ସେଠାରେ ଡ୍ରେନେଜ ବ୍ୟବସ୍ଥା କରୁ ବୋଲି ଶ୍ରୀ ମିଶ୍ର ଦେଓଗାଁ ବ୍ଲକ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଗ୍ରାମ୍ୟ ଜଳଯୋଗାଣ ବିଭାଗର ବିଭାଗୀୟ ଯନ୍ତ୍ରୀ ତଥା ବ୍ଲକ ଉନ୍ନୟନ ଅଧିକାରୀ ଏ ସବୁ ସମସ୍ୟା ଶୀଘ୍ର ସମାଧାନ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ପ୍ରତିଶୃତି ଦେଇଛନ୍ତି । ଲୁହୁରେନପାଲି ଗାଁରେ ଏହି ଆଲୋଚନା ବେଳେ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, ପପୁ ପାତ୍ର, ଅଗ୍ନି ନନ୍ଦ, ବିକାଶ ବିଶ୍ୱାଲ, ସୁଶାନ୍ତ ସାହୁ, ଗୋବର୍ଦ୍ଧନ ନନ୍ଦ, ଲିଟନ ହୋତା, ଜୟଲାଲ ନନ୍ଦ ଓ ଅସୀତ ମିଶ୍ରଙ୍କ ସହିତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.