
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କୋରେକ୍ସ କଫ୍ ସିରପ୍ର ବେଆଇନ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବାରେ ଅବକାରୀ ବିଭାଗ ଓ ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ନେତୃତ୍ୱରେ ପୋଲିସ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ନିଶା ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉ ଜାରି ରଖିଥିବାରୁ ଏବେ ଅଞ୍ଚଳର ନିଶା ବ୍ୟବସାୟୀଙ୍କ ମଧ୍ୟରେ କାଳ ପଶିଯାଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ଦ୍ୱାରା ଗଠିତ ଏକ ସ୍ପେଶାଲ ଟିମ୍ ପତ୍ରାପାଲି ଶିବ ମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ଏକ କୁବୋଟା ହାର୍ଭେଷ୍ଟର (ଧାନକଟା ଯନ୍ତ୍ର) ସହ ଏକ ସନ୍ଦିଗ୍ଧ ଗାଡ଼ିକୁ ଅଟକ ରଖାଯାଇଥିଲା । ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡ଼ିର ଯାଞ୍ଚ କରାଯିବାରୁ ସେଥିରୁ ୧୨ଟି କାର୍ଟୁନରେ ଥିବା ସମୁଦାୟ ୧୪୪୦ ବୋତଲ ନିଷିଦ୍ଧ ‘ୱିନସେରେକ୍ସ’ କୋଡିନ ଯୁକ୍ତ କଫ୍ ସିରପ୍ ଜବତ କରାଯାଇଛି । ଏହାସହ ନିଶା ଚାଲାଣରେ ବ୍ୟବହୃତ ହେଉଥିବା ଲକ୍ଷାଧିକ ଟଙ୍କାର ଧାନକଟା ହାର୍ଭେଷ୍ଟର ମେସିନକୁ ମଧ୍ୟ ପୋଲିସ ଜବତ କରିଛି । ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅତାବିରା ଥାନା ଅନ୍ତର୍ଗତ ଗୁର୍ଖାପାଲି ଦେହେରୀପଡ଼ାର ଜିତେନ୍ଦ୍ର ମେଣ୍ଡେଲୀ (୨୪) ଏବଂ ଭେଡେନ ଥାନା କୁତପାଲି ଗ୍ରାମର ନିରଞ୍ଜନ ତ୍ରିପାଠୀ (୩୪) । ଏହି ମାମଲାରେ ଅତାବିରା ଥାନା କେସ୍ ନଂ- ୨୧୧, ୟୁ/ଏସ୍ ୨୧(ବି)/୨୯ ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଅଞ୍ଚଳରେ ରବି ଧାନ ଫସଲ ଅମଳ ସମୟ ଚାଲିଥିବାରୁ ଚାରିଆଡ଼େ ଧାନକଟା ମେସିନ ବା ହାର୍ଭେଷ୍ଟର ବୁଲୁଛି । ଏହାର ସୁଯୋଗ ନେଇ ନିଶା ମାଫିଆମାନେ ପୋଲିସ ଆଖିରେ ଧୂଳି ଦେବା ପାଇଁ ହାର୍ଭେଷ୍ଟର ମେସିନ ସାହାଯ୍ୟରେ ନିଶାଦ୍ରବ୍ୟ ଚାଲାଣ କରୁଥିଲେ । ଏହାକୁ ସେମାନେ ସବୁଠାରୁ ସହଜ ଏବଂ ନିରାପଦ ଉପାୟ ବୋଲି ଭାବି ନେଇଥିଲେ । ମାତ୍ର ଅତାବିରା ପୋଲିସର ଚତୁରତା ଯୋଗୁଁ ସେମାନଙ୍କର ଏହି ଚାଲାକି ଧରାପଡ଼ିଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଆଗକୁ ଅଧିକ ତଦନ୍ତ ଜାରି ରଖିଛି ।