jayashree

ରାଣୀପୁର ଝରିଆଲ ଯୋଗିନୀ ପୀଠରେ ଜାତୀୟ ପତାକାର ଅପମାନ : ପ୍ରଶାସନର ନୀରବତାକୁ ନେଇ କ୍ଷୋଭ

  • ଆନ୍ଦୋଳନର ଚେତାବନୀ

ବଲାଙ୍ଗିର/ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ରାଣୀପୁର ଝରିଆଲ ସ୍ଥିତ ଯୋଗିନୀ ପୀଠରେ ଜାତୀୟ ପତାକା ତ୍ରିରଙ୍ଗାର ଅପମାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଦିନ ହେବ ପୀଠରେ ଲାଗିଥିବା ଜାତୀୟ ପତାକାଟି ଚିରି ଯାଇଥିଲେ ହେଁ, ପ୍ରଶାସନ ପକ୍ଷରୁ ଏହାକୁ ବଦଳାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଜାତୀୟ ପତାକା ସଂହିତା ଅନୁଯାୟୀ, କୌଣସି କ୍ଷେତ୍ରରେ ପତାକା ଚିରିଗଲେ କିମ୍ବା ମଳିନ ପଡ଼ିଲେ ତାହାକୁ ତୁରନ୍ତ ବଦଳାଇ ସମ୍ମାନର ସହ ନଷ୍ଟ କରିବା ନିୟମ ରହିଛି । ମାତ୍ର ପ୍ରଶାସନର ଏଭଳି ଅବହେଳାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରି ଯୁବ ଆଦିବାସୀ ନେତା ତଥା କୋଶଳ ସଂଗ୍ରାମୀ କେକି ସିଂ ଭୋଇ ଏବଂ କୋଶଳ ସଂଗ୍ରାମୀ ଅନନ୍ତ ବାଗ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସେମାନେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଅତି ଶୀଘ୍ର ଚିରି ଯାଇଥିବା ପତାକାକୁ ହଟାଇ ସମ୍ମାନର ସହ ନୂତନ ପତାକା ସ୍ଥାପନ କରାନଯାଏ, ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ । ଜାତୀୟ ପତାକା ପ୍ରତି ଏଭଳି ଅବହେଳା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ ଦୃଢ଼ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.