jayashree

ପୋଲିସ ଆସୋସିଏସନ ତରଫରୁ ସ୍ୱାସ୍ଥ୍ୟ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନ, ରାଉରକେଲା ତରଫରୁ ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ହୃଦରୋଗର ନିରାକରଣ ଓ ଚିକିତ୍ସା ସମ୍ବନ୍ଧୀୟ ଏକ ସ୍ୱାସ୍ଥ୍ୟ ଶିବିର ଛେଣ୍ଡ ଥାନା ପରିସରରେ ଥିବା ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ ଗତ ଏକ ତାରିଖ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ମୁମ୍ବାଇର ଜଗତ ଜୀବନରାମ ରେଳବାଇ ହସ୍ପିଟାଲର କାଡ଼ିଓଲୋଜିଷ୍ଟ ବିଭାଗର ଡାଇରେକଟର ସୁନାମଧନ୍ୟ କାଡ଼ିଓଲୋଜିଷ୍ଟ ଡ଼କ୍ଟର ସୁଶୀଲ କୁମାର ରାଉଳ ଏହି ଶିବିରରେ ଯୋଗ ଦେଇ ହାର୍ଟ ଆଟାକର କାରଣ, ସେଇ ସମୟରେ ଆବଶ୍ୟକ ପ୍ରାଥମିକ ଚିକିତ୍ସା, ତାର ନିରାକରଣ ବିଷୟରେ ଉଦାହରଣ ଦେଇ ବୁଝାଇବା ସହ ଶତାଧିକ ହୃଦରୋଗୀଙ୍କୁ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ । ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ପର୍ସନାଲ ବିଭାଗର ମୁଖ୍ୟ ଶିବାଶିଷ ତ୍ରିପାଠୀଙ୍କ ସହ ଅନ୍ୟାନ୍ୟ ମେଡିକାଲ ଷ୍ଟାଫମାନେ ଏହି ଶିବିରରେ ରକ୍ତ ପରୀକ୍ଷା, ଇସିଜି, ଓଜନ, ବ୍ଲଡ଼ ପ୍ରେସର ଆଦି ମାପିବା ସହ ଡ଼କ୍ଟରଙ୍କୁ ଚିକିତ୍ସାରେ ସହାୟତା କରିଥିଲେ । ଡ଼କ୍ଟର ଶିଶିର କୁମାର ରାଉଳ ଆମ ପୋଲିସ ପରିବାରର ସଦସ୍ୟ ହୋଇଥିଲା ବେଳେ ଛେଣ୍ଡରେ ତାଙ୍କର ବଡ଼ଭାଇ ଅବସରପ୍ରାପ୍ତ ପୋଲିସ ଅଫିସର ଖଗେଶ୍ୱର ରାଉଳ ସପରିବାରର ରହୁଛନ୍ତି । ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ସଭାପତି ମହେନ୍ଦ୍ର ମହାନ୍ତି, ଗିରିଜା ଗୋସ୍ୱାମୀ, ଏସ୍‌ଆଇ ମହେନ୍ଦ୍ର ସାହୁ ଓ ଅନ୍ୟମାନେ ଶିବିର ପରିଚାଳନାରେ ସହାୟତା କରିଥିଲେ । ଶିବିରରେ ଆସୋସିସନର ସଭାପତି ବିଶ୍ୱମୋହନ ପଟ୍ଟନାୟକ ଯୋଗ ଦେଇ ଡ଼କ୍ଟର ରାଉଳଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଆହୁରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆସୋସିଏସନ ତରଫରୁ ଡ଼କ୍ଟର ରାଉଳଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆସୋସିଏସନର ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ସାହୁ, ଖଗେଶ୍ୱର ରାଉଳ,ସୁବାସ ବିଶ୍ୱାଳ ଗୟାଧର ବାରିକ, ଆଦିକନ୍ଦ ନାୟକ, ଖଗେଶ୍ୱର ବାରିକ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ବିଜୟ ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.