
ବରଗଡ, (ମୁନ୍ନା ସାହୁ) : ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁକନ୍ୟା ମୃତ । ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଅଭିଯୋଗ । ୯ ମାସର ଶିଶୁର ଗଲା ଜୀବନ । ବରପାଲି ଅଞ୍ଚଳର ଦମ୍ପତ୍ତି ତାଙ୍କ ଅସୁସ୍ଥ ଶିଶୁକୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନା ଗତକାଲି ରାତିରେ ଆଣିଥିଲେ । ଡାକ୍ତର ଚିକିତ୍ସା ପାଇଁ ଆସି ନ ଥିବାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଲାଗିରହିଛି । ଗତକାଲି ରାତି ୧୨ଟାରେ ବରପାଲି ବ୍ଲକ ପାଟକୁଲୁଣ୍ଡା ଗାଁର ଶିବା କଲେତ ଓ ତାଙ୍କ ସ୍ତ୍ରୀ ନିଜ ନଅ ମାସର ଶିଶୁ କନ୍ୟା ଅସୁସ୍ଥ ଥିବାରୁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ହେଲେ ଡାକ୍ତର ଶିଶୁଟି ଗୁରୁତର ଥିବା ସତ୍ୱେ ସକାଳ ଯାଏଁ କୌଣସି ଚିକିତ୍ସା କରିନଥିଲେ । ରାତିସାରା ଶିଶୁଟି ଚିକିତ୍ସା ନପାଇ ଡହକ ବିକଳ ହେଉଥିବା ବେଳେ ବାପା ମା’ ସବୁ ଆଡ଼େ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । ସକାଳେ ଚିକିତ୍ସା ହେବା ବେଳକୁ ବହୁ ଡେରି ହୋଇଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।