
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଚାଷୀଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଇନ୍ଦ୍ରାବତୀ ପ୍ରକଳ୍ପରୁ ଦୈନିକ ହାରାହାରି ୨୫୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ଚାଲିଥିବାରୁ ଆଗାମୀ ଖରିଫ ସମୟରେ ଜଳ ସେଚନ କେମିତି ହେବ ବୋଲି ଚାଷୀଙ୍କ ମଧ୍ୟରେ ଆଶଙ୍କା ବଢି ସାରିଲାଣି । ଇନ୍ଦ୍ରାବତୀ ପ୍ରକଳ୍ପରୁ ଚାଷ ପାଇଁ ପାଣିର ଆବଶ୍ୟକତାକୁ ଦେଖି ବିଜୁଳି ଉତ୍ପାଦନର ଲକ୍ଷ ରଖାଯାଉଥିବା ବେଳେ ଏବେ ରବି ଜଳ ସେଚନ ପରେ ବିଦ୍ୟୁତ ଉତ୍ପାଦନକୁ କ୍ରମାଗତ ଭାବରେ ବଢ଼ାଇ ଚାଲିଥିବା ହେତୁ ଆଗାମୀ ଖରିଫ ସମୟରେ ଜଳ ସେଚନ କ୍ଷେତ୍ରରେ ଜଳ ସଙ୍କଟ ଦେଖାଦେଇ ପାରେ ବୋଲି ଆଲୋଚନା ହେଉଛି । ସୂଚନାରୁ ପ୍ରକାଶ ଯେ, ଚଳିତ ରବି ଜଳ ସେଚନ ଅର୍ଥାତ ୧୭/୫/୨୬ରିଖରେ ବନ୍ଦ ହେବା ଦିନ ଇନ୍ଦ୍ରାବତୀର ଜଳ ପତ୍ତନ ୬୩୧.୭୧ ମିଟରରେ ରହିଥିଲା । ଇତି ମଧ୍ୟରେ କ୍ରମାଗତ ବିଦ୍ୟୁତ ଉତ୍ପାଦନ ହେତୁ ୧୫ ଦିନ ମଧ୍ୟରେ ଜଳ ଭଣ୍ଡାରର ଜଳ ପତ୍ତନ ୬୩୦.୫୧ ମିଟର ଅର୍ଥାତ ୧.୨୦ ମିଟର ଖସି ୨୫.୧୧ ପ୍ରତିଶତରେ ପହଞ୍ଚି ସାରିଥିବା ସୁଚନା ମିଳିଛି । ସେହି ପାଣି ଜଳଭଣ୍ଡାର ମଧ୍ୟରେ ଗଚ୍ଛିତ ହୋଇ ରହିଥିଲେ ଏକ ମାସର ଜଳ ସେଚନ ପାଇଁ ସୁଯୋଗ ସୃଷ୍ଟି କରି ପାରିଥାନ୍ତା । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସରକାରଙ୍କ ପାଖରେ ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅନେକ ଉତ୍ସ ଥାଇ ମଧ୍ୟ କଳାହାଣ୍ଡି ଚାଷୀ ଇନ୍ଦ୍ରାବତୀ ଜଳ ସେଚନ ଉପରେ ନିର୍ଭରଶୀଳ ଥିବା ବେଳେ ତାକୁ ଉପେକ୍ଷା କରି କେବଳ ବିଦ୍ୟୁତ ଉତ୍ପାଦନ କରି କୃଷି କ୍ଷେତ୍ରକୁ ବିପର୍ୟ୍ୟୟ ଆଡ଼କୁ ଠେଲିବା ଘଟଣାକୁ କଳାହାଣ୍ଡିର ବିଭିନ୍ନ କୃଷକ ସଂଗଠନ ବିରୋଧ କଲେଣି । ପୂର୍ବ ବର୍ଷ ମାନଙ୍କରେ ସ୍ଵାଭାବିକ ଭାବରେ କୃଷିର ଆବଶ୍ୟକତାକୁ ଦେଖି ବିଦ୍ୟୁତ ଉତ୍ପାଦନ କରାଯାଉଥିଲା । କଳାହାଣ୍ଡି ଜିଲ୍ଲାର ୧.୧୮ଲକ୍ଷ ହେକ୍ଟର ଜମିର ଚାଷୀଙ୍କ ଭବିଷ୍ୟତ ଅର୍ଥନୀତିକୁ ଅପେକ୍ଷା କରି କେଉଁ ଆଧାରରେ ଓଏଚ୍ପିସି ମୁଖିଗୁଡ଼ା କତ୍ର୍ତ୍ତୃପକ୍ଷ ବିଜୁଳି ଉତ୍ପାଦନ କରି ଚାଲିଛନ୍ତି ତାହା ଏବେ ସମସ୍ତଙ୍କୁ ଆତଙ୍କିତ କରି ସାରିଲାଣି । କେତେକ ଏହାକୁ ଶିଳ୍ପାୟନକୁ ପାଣି ଯୋଗାଇବା ପାଇଁ ବ୍ୟବସ୍ଥାର ଏକ ସୁଚିତିନ୍ତ ଚାଲ୍ କି ବୋଲି ଆଲୋଚନା କଲେଣି । ପୁନଶ୍ଚ ଇନ୍ଦ୍ରାବତୀର ବିଜୁଳି ଅତି ଶସ୍ତା ଦରରେ (୦.୪୨) ପଇସାରେ ଗ୍ରିଡକୁ ବିକ୍ରି କରାଯାଉଥିବାରୁ ବ୍ୟବସ୍ଥାର ଲାଭଖୋର ମାନସିକତା ଏହାର ପଛରେ ଅନ୍ତର୍ନିହିତ ଅଛି କି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି । ଏ ସମ୍ପର୍କରେ ଓଏଚ୍ପିସି କର୍ତ୍ତୃପକ୍ଷଙ୍କ ସାଙ୍ଗରେ ଯୋଗାଯୋଗ କରିବାରୁ ବିଦ୍ୟୁତ ଚାହିଦାକୁ ଦେଖି ଏସ୍ଏଲ୍ଡିସି ଉତ୍ପାଦନ ଉପରେ ନିୟନ୍ତ୍ରଣ କରୁଛି ବୋଲି ପ୍ରକାଶ କରିଥଲେ । ଚଳିତ ସମ୍ଭାବ୍ୟ ମୌସୁମୀକୁ ନଜରରେ ରଖି ଜିଲ୍ଲାର ସମସ୍ତ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଏହାରି ଊପରେ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ଦାବୀ ହେଉଛି ।