
- ଭୀମ ଭୋଇଙ୍କ କାଳଜୟୀ ସାହିତ୍ୟ ସମାଜ ଗଠନର ଆଲୋକବର୍ତ୍ତିକା ସାଜିଛି
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସନ୍ଥକବି ଭୀମଭୋଇ ଜୟନ୍ତୀ ପାଳନ ଅବସରରେ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ରକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହରେ ତଥା ଭୀମଭୋଇଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବିଷ୍ଣୁ ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟ୍ ନିରବ ପ୍ରାର୍ଥନା କରାଗଲା । ରାଉରକେଲା ଇସ୍ପାତ୍ କାରଖାନାର ପ୍ରାକ୍ତନ ଚିଫ ଜେନେରାଲ ମ୍ୟାନେଜର ତଥା ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସଭାପତି ଇଞ୍ଜିନିୟର ସ୍ୱରୂପ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଏବଂ ପଣ୍ଡିତ ହରିହର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ସାଧାରଣ ସଂପାଦକ ମନୋଜ କୁମାର ନନ୍ଦଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ନାୟକ ମଞ୍ଚାସୀନ ଥିଲେ । ଅନ୍ଧ ବିଶ୍ୱାସ, ଜାତି ପ୍ରଥା ଏବଂ ସାମ୍ପ୍ରଦାୟିକତା ବିରୁଦ୍ଧରେ ଭୀମଭୋଇ ଶତାଧିକ ବର୍ଷ ଆଗରୁ ଲେଖା ମାଧ୍ୟମରେ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ସୁସ୍ଥ ସମାଜ ଗଠନରେ ଆଲୋକ ବର୍ତ୍ତିକା ହୋଇ ରହିବ ବୋଲି ମଞ୍ଚାସୀନ ଅତିଥି ଓ କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଅଶୋକ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଗୌତମ ଦାସ ଓ ମମତା ଜେନାଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠ କାଂର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବି ଉପେନ୍ଦ୍ର ବସ୍ତିଆ, ସବିତା ବସ୍ତିଆ, ବିଜୟିନୀ ଜେନା, ସୁଶାନ୍ତ ନାୟକ, ବବିତା ମହାଳିକ, ନୃସିଂହ ଚରଣ ବିଶ୍ଵାଳ, ହରିହର ବେହେରା, ତ୍ରିଲୋଚନ ମଥାନ, ପ୍ରଭାତୀ ନାୟକ, ଅଶୋକ ପଟ୍ଟନାୟକ, ଗୌତମ ଦାସ, ମମତା ଜେନା ପ୍ରମୁଖ ଉପସ୍ଥିତ ଅନେକ କବି ସ୍ଵରଚିତ କବିତା ପାଠ କରିଥିଲେ । ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।କୁମାରୀ ଶ୍ରଦ୍ଧାଶ୍ରୀ ବସ୍ତିଆ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ।