jayashree

ବଲାଙ୍ଗିରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଣିଜୀର ବାହାଘର ଖୁସି ଏବେ ଶୋକରେ ପରିଣତ ହୋଇଯାଇଛି । ଭାଣିଜୀ ବାହାଘରରେ ଯୋଗଦେବାକୁ ଆସି ଏକ ବାଇକ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଭୁତିଆର୍‌ ବାହାଲ ରାସ୍ତାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଦେଓଗାଁ ବ୍ଲକ ଶିଆଲଜୋରୀ ଗ୍ରାମର ସୁରଥ ନାଗ (୫୦), ଅର୍ଡ଼ା ଗ୍ରାମର ହୁର୍ସି ସୁନା (୪୦) ଏବଂ ଲଖନପୁର ଗ୍ରାମର ମାଲ ଛତ୍ରିଆ (୪୮) ସେମାନଙ୍କ ଭାଣିଜୀ ବାହାଘର ପାଇଁ ବ୍ରାହ୍ମଣୀଜୋର ଗ୍ରାମକୁ ଆସିଥିଲେ । ବାହାଘର ଚାଲିଥିବା ବେଳେ କୌଣସି ଜରୁରୀ କାମରେ ଏହି ତିନିଜଣ ଏକ ମଟରସାଇକେଲ ଯୋଗେ ଭୁତିଆର୍‌ ବାହାଲ ଅଭିମୁଖେ ବାହାରିଥିଲେ । ମାତ୍ର ଭୁତିଆର୍‌ ବାହାଲ ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଖୁଣ୍ଟରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍‌ରେ ଥିବା ତିନି ଜଣ ଯାକ ରାସ୍ତାରେ ଛିଟିକି ପଡ଼ି ରକ୍ତାକ୍ତ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଜଣଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ଆହତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଦୁର୍ଘଟଣା ସମ୍ପର୍କରେ ପଚରାଉଚୁରା ଜାରି ରଖିଛି । ବାଇକଟି ଦ୍ରୁତ ଗତିରେ ଥିବା ଯୋଗୁଁ ଚାଳକ ନିୟନ୍ତ୍ରଣ ହରାଇ ଖୁଣ୍ଟରେ ପିଟି ଦେଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ଏହି ଘଟଣା ପରେ ବ୍ରାହ୍ମଣୀଜୋର ଗ୍ରାମରେ ଚାଲିଥିବା ବାହାଘର ଉତ୍ସବରେ ବିଷାଦର ଛାୟା ଖେଳିଯାଇଛି ।

Leave A Reply

Your email address will not be published.