jayashree

ପରିବାର ଦେଲେ ନାହିଁ ସ୍ୱୀକୃତି : ପ୍ରେମ ପାଇଁ ଜୀବନ ଦେଲେ ପ୍ରେମୀ ଯୁଗଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିନିକା ଗୁଲୁଣ୍ଡା ଗାଁ ନିକଟସ୍ଥ ନିର୍ମାଲଛାୟା ପାଖରେ ରାସ୍ତାକଡରେ ଥିବା ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ବିନିକା ପୋଲିସ । ଆଜି ଭୋରରୁ ବରଗଛରେ ପ୍ରେମୀ ଯୁଗଳ ଝୁଲୁଥବା ଦେଖି କିଛି ଲୋକ ବିନିକା ପୋଲିସକୁ ଖବର ଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ବହୁ ସମୟ ଧରି ପ୍ରେମୀ ଯୁଗଳଙ୍କ ଶବ ବରଗଛରେ ଝୁଲି ରହିଥିଲା । ପରେ ବିନିକା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଦୟାରାମ ମେହେର ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପହଂଚିବା ପରେ ତାଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀଙ୍କ ସାହାଯ୍ୟରେ ଗଛ ଉପରୁ ପ୍ରେମୀ ଯୁଗଳଙ୍କ ଗାମୁଛା ଲଗା ଝୁଲନ୍ତା ମୃତଦେହ ଉଦ୍ଧାର କରି ତଳକୁ ଅଣାଯାଇଥିଲା । ଏଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଗଛମୁଳେ ଏକ ବ୍ୟାଗ ଓ ଉଭୟଙ୍କ ଚପଲକୁ ଜବତ କରିଛି ପୋଲିସ । ତେବେ ମୃତ ଯୁବକ ଓ ଯୁବତୀଙ୍କ ମିଳିଛି ପରିଚୟ । ଯୁବକ ରିତେଶ ଝାଙ୍କର (୨୧)ଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ବାଜିଖୋଲ ଗାଁରେ ହୋଇଥିବା ବେଳେ ୧୪ ବର୍ଷୀୟା ନାବାଳିକା ଝିଅର ଘର ବିନିକା ଥାନା ମେଘଲା ପଞ୍ଚାୟତ କହଁରଡେରା ଗାଁର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ନାବାଳିକାଙ୍କ ସମ୍ପର୍କୀୟ ଘର ଲଛିପୁର ଥାନା ବାଜିଖୋଲ ଗାଁରେ ହୋଇଥିବା ବେଳେ ସେ ସେଠାକୁ ବୁଲି ଯାଇଥିବା ବେଳେ ରିତେଶ ଓ ନାବାଳିକା ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ପ୍ରେମୀ ଯୁଗଳ କିଛି ମାସ ହେଲା ଘରୁ କୁଆଡେ ଚାଲି ଯାଇଥିଲେ ଏବଂ ପରେ ତାମିଲନାଡୁକୁ ଫେରାର ମାରିଥିବା ଜଣାପଡିଥିଲା । ଗତକାଲି ଉଭୟେ ଘରକୁ ଫେରିଥିଲେ ହେଲେ ପରିବାର ଲୋକେ ଉଭୟ ପ୍ରେମିକ ପ୍ରେମିକାକୁ ଗ୍ରହଣ ନକରିବାରୁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ଏପଟେ ପୋଲିସ ଘଟଣା ସ୍ଥଳରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ଜବତ କରି ବିନିକା ମେଡିକାଲକୁ ଆଣିଥିଲେ ଏବଂ ଡାକ୍ତର ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ରେଫର କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବିନିକା ଥାନାଧିକାରୀ ଅନିତା କିଡୋ, ସବ ଇନିସ୍ପେକ୍ଟର ମାରୁତ ଚନ୍ଦ୍ର ପ୍ରଧାନ, ଏଏସଆଇ ତ୍ରିନାଥ ସାହୁ, ଆରଆଇ ବସନ୍ତ ଗରିଆ, ବଲାଙ୍ଗିର ସାଇଣ୍ଟିଫିକ ଟିମ, ଅଗ୍ନିଶମ ବାହିନୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.