
- ଫାଇନାଲରେ ଭୁବନେଶ୍ୱରକୁ ହରାଇ ବଲାଙ୍ଗିର ଦଳ ଚାମ୍ପିୟନ୍
- ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା କ୍ରିକେଟ୍ ଏସୋସିଏସନ୍ ଆନୁକୂଲ୍ୟରେ କଟକ ଓ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତଃଜିଲ୍ଲା ମହିଳା ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ରେ ବଲାଙ୍ଗିର ଓ ଭୁବନେଶ୍ୱର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ମହିଳା କ୍ରିକେଟ୍ ଦଳ ଚମତ୍କାର ଖେଳ ପ୍ରଦର୍ଶନ ପୂର୍ବକ ଭୁବନେଶ୍ୱର ଦଳକୁ ପରାଜିତ କରି ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ ସହ ବଲାଙ୍ଗିର ପାଇଁ ଗୌରବ ବହନ କରିଛି । ସେଥି ସକାଶେ ବିଜୟୀ ବଲାଙ୍ଗିର ଖେଳାଳୀଙ୍କ ସମାନାର୍ଥେ ବୁଧବାର ସକାଳେ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଏକ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହୋଇଯାଇଛି । ଏକ ସ୍ୱତନ୍ତ୍ର ବସ ଯୋଗେ ଖେଳାଳୀମାନେ ସକାଳୁ ସକାଳୁ ବଲାଙ୍ଗିର ପହଞ୍ଚିବା ମାତ୍ରେ ସେମାନଙ୍କୁ ଗାନ୍ଧୀ ଷ୍ଟାଡ଼ିୟମ୍କୁ ଆମନ୍ତ୍ରଣ କରାଯାଇଥିଲା । ପରେ ପରେ ବିଭିନ୍ନ ପ୍ରକାରର ବାଦ୍ୟ ବାଦନର ତାଳେ ତାଳେ କ୍ରୀଡ଼ା ସଂସଦର ସଭ୍ୟ ବୃନ୍ଦ ତଥା ଉପସ୍ଥିତ ଅଭିଭାବକଙ୍କ ଗହଣରେ ସେମାନଙ୍କୁ ରେଡ୍କାର୍ପେଟ ଉପରେ ମଂଚ ନିକଟକୁ ପାଛୋଟି ଆଣି ସମସ୍ତଙ୍କୁ ସ୍ୱତନ୍ତ୍ର ଆସନରେ ଉପବେଶନ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କୁ ସ୍ୱାଗତ ଭାଷଣ ପରେ ମୁଖ୍ୟ ଅତିଥି ଲିକା ସାହୁ, ପୌରାଧ୍ୟକ୍ଷା, ଖେଳାଳୀଙ୍କ ଅର୍ଜିତ କୃତୀତ୍ୱ ପାଇଁ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ପରେ ସଭ୍ୟମାନଙ୍କ ଦ୍ୱାରା ଅନ୍ତର୍ଜାତୀୟ ଖେଳାଳୀ ମାଧୁରୀ ମେହେଟା, ଜାତୀୟ ଖେଳାଳୀ ସରିତା ମେହେର, ରାମେଶ୍ୱରୀ ନାଏକ, ଦଳର ଅଧିନାୟକ ରଶ୍ମିତା ଚିନାରା, କୋଚ୍ ଅରୁଣ କୁମାର ନାଏକ, ମ୍ୟାନେଜର ଇନ୍ଦିରା ନନ୍ଦିନୀ ନାଥ ଓ ଦଳର ସମସ୍ତ ଖେଳାଳୀଙ୍କୁ ସ୍ୱତନ୍ତ୍ର ଭାବେ ପୁଷ୍ପମାଲ୍ୟ ଓ ଉପଢୌକନ ଦ୍ୱାରା ସମ୍ମାନିତ କରାଯାଇଥିଲା । ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହ୍ଲାଦ ଶତପଥୀ, ସାଧାରଣ ସଂପାଦକ ହରିନାରାୟଣ ପୂଝାରୀ, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ବରିଷ୍ଠ ସଭ୍ୟ ସୁଧୀର ଚନ୍ଦ୍ର ପଣ୍ଡା, କ୍ରିକେଟ ସଂପାଦକ ଓମ୍ପ୍ରକାଶ ଚାନ୍ଦ, କୋଚ୍ ଅରୁଣ କୁମାର ନାଏକ, ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।