jayashree

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରିଫ ବିପଣନ ବର୍ଷ ୨୦୨୫-୨୬ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ, ଜିଲ୍ଲାପରିଷଦ ବୈଠକ ଗୃହରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି, କ୍ୟାବିନେଟ ମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)ଙ୍କ ପ୍ରତିନିଧି, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠି, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତରଣୀ ସୁନା, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ପାଟଣାଗଡ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ସହିତ ଯୋଗାଣ ବିଭାଗ, ସମବାୟ ବିଭାଗ, କୃଷି ବିଭାଗ, ଜଳସେଚନ ବିଭାଗ, ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଓ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସେ ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ପ୍ରକ୍ରିୟା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଏହାକୁ ସୂଚାରୁ ଭାବେ କାର୍ଯ୍ୟକାରିତା କରିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଜିଲ୍ଲାରେ ମଇ ୨୫ ଠାରୁ ରବି ଧାନ କ୍ରୟ ଆରମ୍ଭ ହେବ । ଏଥିପାଇଁ ୧୨୫ଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ୧୧ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସମୁଦାୟ ୧୩୬ଟି ଧାନକ୍ରୟ କେନ୍ଦ୍ର ମାଧ୍ୟମରେ ପଞ୍ଜୀକୃତ ଚାଷୀମାନଙ୍କର ଧାନକ୍ରୟ କରାଯିବ । ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ ଜିଲ୍ଲାର ୧୭,୩୦୪ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଗ୍ରୀଷ୍ମ ପ୍ରବାହ ଓ ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଧାନକ୍ରୟ କେନ୍ଦ୍ରରେ ଆବଶ୍ୟକ ଆନୁସାଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟ ଜଳ, ବିଦ୍ୟୁତ୍, ଟାରପୋଲିନ୍ ଓ ଚାଷୀମାନଙ୍କ ପାଇଁ ଆଶ୍ରୟସ୍ଥଳୀ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ଆଦେଶ କରିଛନ୍ତି । ଚାଷୀମାନେ ଯେପରି ରବି ଧାନ ବିକ୍ରୟକୁ ସହଜ, ସୁବିଧାଜନକ ଓ ସ୍ୱଚ୍ଛ ପରିବେଶରେ କରିପାରିବେ, ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ଜୋର ଦେଇଛନ୍ତି । ରବି ଧାନକ୍ରୟ ପ୍ରକ୍ରିୟା ସମ୍ପର୍କରେ ସମସ୍ତ ଚାଷୀମାନେ ସୂଚନା ପାଇପାରିବେ ସେ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି, ସମସ୍ତ ଧାନକ୍ରୟ କେନ୍ଦ୍ରରେ ସିସିଟିଭି ସଂଯୋଗ ସହିତ ଏହାର ସୂଚାରୁ କାର୍ଯ୍ୟକାରିତା ସୁନିଶ୍ଚିତ କରିବା, ଧାନ ସଂଗ୍ରହ ସମ୍ପର୍କିତ ରେଜିଷ୍ଟର ଉପଲବ୍ଧ କରାଇବା ଏବଂ ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରି ନିୟମିତ ତଦାରଖ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ଲୋକପ୍ରତିନିଧିମାନଙ୍କ ଦ୍ୱାରା ଆସୁଥିବା ଅଭିଯୋଗଗୁଡ଼ିକର ତଦନ୍ତ କରି, ସେଥିରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମ୍ପୃକ୍ତମାନଙ୍କୁ ଅବଗତ କରାଇବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ସହାୟକ ଯୋଗାଣ ଅଧିକାରୀ (ସଦର ମହକୁମା) ପୀତବାସ ମଲ୍ଲିକ, ଶରତ କୁମାର ରାଉତ ସହିତ ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲାପରିଷଦ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.