
ରାଉରକେଲା, (ସସ୍ମିତା ପ୍ରଧାନ) : ଭିନ୍ନକ୍ଷମଙ୍କ ପାଇଁ ସମର୍ପିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ପକ୍ଷରୁ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରାମ୍ୟମାଣ ନିଃଶୁଳ୍କ ଚିକିତ୍ସା ସେବା ଆସନ୍ତା ୮ ତାରିଖ ଦିନ ସେକ୍ଟର ୫ ସ୍ଥିତ ପାନ୍ଥନିବାସ ଠାରୁ ଆରମ୍ଭ କରାଯିବ । ଟାଟା ପାୱାର ସହାୟତାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଥେରାପି ସଙ୍ଗେ ସଙ୍ଗେ ଆବଶ୍ୟକୀୟ ପରାମର୍ଶ, ଔଷଧ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ । ଏଭଳି ଏକ ମହତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ରାଉରକେଲା ମହାନଗର ନିଗମର କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତାଗୀର, ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ମାନଙ୍କ ସାମାଜିକ ସୁରକ୍ଷାର ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା ଓ ଟାଟା ପାୱାର ସିଏସଆର ମୁଖ୍ୟ ଅରୁଣା ମାରାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବେ । ଏହା ସହ ବିଭିନ୍ନ ପଦାଧିକାରୀ, ଶିକ୍ଷାବିତ, ସମାଜସେବୀ ଉପସ୍ଥିତ ରହିବେ । ଏଣୁ ଏଭଳି ଏକ ମହତ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ଶ୍ରଦ୍ଧା ଅନୁଷ୍ଠାନର ସାଧାରଣ ସମ୍ପାଦକ କାର୍ତ୍ତିକଚନ୍ଦ୍ର ପାଣ୍ଡବ ଅନୁରୋଧ କରିଛନ୍ତି ।