jayashree

ଦ୍ଵି-ବାର୍ଷିକୀ ମା’ ବ୍ୟାଘ୍ରଦେବୀଙ୍କ ଯାତ୍ରା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଆଜକୁ ପ୍ରାୟ ଏକ ଶହ ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ହେଲା ପାରମ୍ପରିକ ଭାବେ ପ୍ରଚଳିତ ହୋଇ ଆସୁଥିବା ଦ୍ଵି-ବାର୍ଷିକୀ ମା’ ବ୍ୟାଘ୍ରଦେବୀଙ୍କ ଯାତ୍ରା ସୋମବାର ମଧ୍ୟରାତ୍ରିରେ ଉଦଯାପିତ ହୋଇଯାଇଛି । ଗତ ରବିବାର ରିକାପଲ୍ଲୀ ଦେଶୀ ବେହେରା ସାହିକୁ ନିଜର ସହଚରୀ ମାନଙ୍କୁ ନେଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ମା’ ବ୍ୟାଘ୍ରଦେବୀଙ୍କ ଆଗମନ ଓ ରାଜ ଭୋଗ ଲାଗି ହୋଇଛି । ସୋମବାର ବିଳମ୍ବିତ ରାତିରେ ରିକାପଲ୍ଲୀ ଛକ ଦେଇ ବିନୋଦ ବିହାର ରୋଡ, ମେଦିରିସାହି, ଚନ୍ଦ୍ରଶେଖର ମନ୍ଦିର, କଳ୍ପବାସିନୀ ନଗର ଛକ ପର୍ଯ୍ୟନ୍ତ ପରିଭ୍ରମଣ ହୋଇ ଶେଷରେ ଦେବୀଙ୍କ ଘଟଯାତ୍ରା ପରିସମାପ୍ତି ଘଟିଛି । ମଧ୍ୟରାତ୍ରିରେ ମା’ ବ୍ୟାଘ୍ରଦେବୀ ନିଜ ସାଙ୍ଗସାଥୀ ମେଳରେ ଶ୍ୱଶୁରାଳୟକୁ ଯାଇ ଅର୍ଥାତ୍ ସ୍ଵଧାମ ମନ୍ଦିର ସିଂହାସନ ଆରୋହଣ କରିଥିଲେ । ସୂଚନାଯୋଗ୍ୟ ଯେ, ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଏହି ଜଗତ ଜନନୀ ମା’ ବ୍ୟାଘ୍ରଦେବୀଙ୍କ ଯାତ୍ରା ଦୀର୍ଘ ଏକ ଶହ ବର୍ଷ ତଳେ ଆରମ୍ଭ ହୋଇଥିବା କୁହାଯାଏ । ଗଞ୍ଜାମ ଜିଲ୍ଲାର ଐତିହାସିକ ସହର ଭଞ୍ଜନଗର ସ୍ଥିତ କୁଲାଡ଼ ଅବା ପ୍ରାଚୀନ ଗଡ଼ଜାତ ଜିଲ୍ଲା କୁଲାଗଢ଼ ଅଞ୍ଚଳରେ ପୂଜିତ ପ୍ରସିଦ୍ଧ ଶକ୍ତିପୀଠ ମା’ ବ୍ୟାଘ୍ରଦେବୀଙ୍କ ତନ୍ତ୍ରଶାସ୍ତ୍ର ପରମ୍ପରାର ଆଦ୍ୟାଶକ୍ତି ବ୍ୟାଘ୍ର-ବାହିନୀ ମା’ ବ୍ୟାଘ୍ରଦେବୀଙ୍କ ଏକ ନିଆରା ଲୋକ-ପରମ୍ପରା ରହିଛି । ଯାହାକି ବିଶ୍ୱ ବିଦିତ ଗୁରୁ ତଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏହି ସାଧନା ପୀଠର ଆରାଧ୍ୟ ଦେବୀ ମା’ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଠାରୁ ଏଠାକୁ ବରଣ କରି ଅଣାଯାଇ ଛତ୍ରପୁରରେ ପ୍ରତିଷ୍ଠିତ ହୋଇଥିବା ପ୍ରମାଣ ରହିଛି । ଯାହାକି ଛତ୍ରପୁର ସହରରେ ପ୍ରତିଷ୍ଠିତ ଠାକୁରାଣୀ ଯାତ୍ରା ପୂର୍ବରୁ ଏହା ଆଦ୍ୟପର୍ବ ଭାବେ ପରିଚିତ ମା’ ବ୍ୟାଘ୍ରଦେବୀଙ୍କ ଯାତ୍ରା ଖୁବ୍ ନିଆରା ଅଟେ । ପ୍ରଥମେ ବଡ଼ ଭଉଣୀ ମା’ ବ୍ୟାଘ୍ରଦେବୀଙ୍କ ଯାତ୍ରା ଆଦ୍ୟ-ପର୍ବ ଭାବେ ସମାହିତ ପରେ ଛତ୍ରପୁରର ଲୋକପର୍ବ ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥାଏ ବୋଲି ଲୌକିକ ମତ ରହିଛି । ଦ୍ୱିତୀୟ ପର୍ବ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା ପ୍ରାୟ ମାସାଧିକ ଦିନ ଧରି ସମାହିତ ହୋଇଥାଏ । ଏହି ଯାତ୍ରା ମଧ୍ୟ ସୋମବାର ମଧ୍ୟରାତ୍ରିରୁ ମା’ ରାମାୟଣାମ୍ମାଙ୍କୁ ଆମନ୍ତ୍ରଣ ହୋଇ ଆବାହନ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.