
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ଥାନାର ଆମ ପୁଲିସ ଓ ସାମାଜିକ ଅନୁଷ୍ଠାନ ସାହା ଭରସାର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ସେକ୍ଟର ୧୯ ନେହେରୁ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସର ବରିଷ୍ଠ ସଦସ୍ୟ ଡ. ସୁମନ ଦତ୍ତଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଦସ୍ୟ ନିହାର ଦାସ ସ୍ୱାଗତ ଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜୋନାଲ ଡିଏସପି ମନୋରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଓ ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ସମ୍ମାନିତ ଅତିଥି ଓ ସ୍ୱତନ୍ତ୍ର ଅତିଥି ଭାବେ ଗୁରୁଜୀ ପ୍ରଣବ ଚୈତନ୍ୟ ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପୁଲିସ ହେଉଛି ଆପଣଙ୍କ ବନ୍ଧୁ । ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଅପରାଧରେ ଲଗାମ ଲାଗିପାରିବ । ସେହିପରି ସାଇବର କ୍ରାଇମ, ଡିଜିଟାଲ ଆରେଷ୍ଟ, ଅଜଣା ଲିଙ୍କ୍କୁ ନଛୁଇଁବା, ଓଟିପି କିମ୍ବା ପାସୱର୍ଡ କାହାକୁ ନଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ପାରିବାରିକ ହିଂସା, ଟ୍ରାଫିକ ନିୟମ ପାଳନ, ଅଜଣା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ତଥା ବିଭିନ୍ନ ଆଇନ୍ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଉପସ୍ଥିତ ସର୍ବଶ୍ରୀ ସଂଗ୍ରାମ ମହାନ୍ତି, ରଶ୍ମିରେଖା ଦାସ, ଅର୍ଚ୍ଚନା ସେଠୀ, ବିଜୟୀନୀ ମହାନ୍ତି, ଶିବ ସୁନା ପ୍ରମୁଖ ଆଇନର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସନ୍ଧ୍ୟାବେଳେ ଓ ନିଛାଟିଆ ସ୍ଥାନରେ ପେଟ୍ରୋଲିଂକୁ କଡାକଡି କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଡ. ଦତ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆମ ପୁଲିସର ଲକ୍ଷ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ବରିଷ୍ଠ ସଦସ୍ୟ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ ।