
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶାର ବୃହତ୍ତମ ଉପଖଣ୍ଡ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଆଜକୁ ଦୀର୍ଘଦିନ ହେଲା ମୋବାଇଲ ନେଟୱର୍କ ସେବା ବିପର୍ଯ୍ୟସ୍ତ ରହୁଥିବା ଯୋଗୁଁ ଉପଭୋକ୍ତା ତଥା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ସହରବାସୀଙ୍କୁ ପ୍ରଥମେ ମୋବାଇଲ ସେବା ପ୍ରଦାନ କରି ଆସୁଥିବା ବିଏସ୍ଏନ୍ଏଲ୍ ସଂସ୍ଥା ରୁଗଣ ଅବସ୍ଥାକୁ ଚାଲି ଆସିବା ପରେ ଉପଭୋକ୍ତାମାନେ ବାଧ୍ୟ ହୋଇ ଜିଓ ଘରୋଇ କମ୍ପାନୀର ମୋବାଇଲ ନେଟୱର୍କ ଉପରେ ଅଞ୍ଚଳବାସୀ ପୁରା ନିର୍ଭର କରି ଚଳି ଆସୁଛନ୍ତି । ହେଲେ ଏହି ଜିଓ କମ୍ପାନୀ ସ୍ୱଳ୍ପ ଶକ୍ତି ସମ୍ପନ୍ନ ଟାୱାର କାର୍ଯ୍ୟକ୍ଷମ କରିଥିଲା, ବର୍ତ୍ତମାନ ଏହାର ଗ୍ରାହକ ସଂଖ୍ୟା ଅଧିକା ଥିବା ଯୋଗୁଁ ଆଉ ସ୍ୱଳ୍ପ ଶକ୍ତି ସମ୍ପନ ଟାୱାର ପୂର୍ବ ପରି ଆଉ ଉଚିତ ସେବା ପ୍ରଦାନ ନକରି ଅଞ୍ଚଳବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ଗ୍ରାହକ ସଂଖ୍ୟା ଅଧିକା ଥିବା ଯୋଗୁଁ ଜିଓ କମ୍ପାନୀ ଉଚ୍ଚ ଶକ୍ତି ସମ୍ପନ ଟାୱାର ବସାଇବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଆଜିର ଡିଜିଟାଲ ଯୁଗରେ ସମସ୍ତଙ୍କ ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବା ଅପରିହାର୍ଯ୍ୟ ହୋଇଥିବା ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକ ଇଣ୍ଟରନେଟ ସେବା ଉପରେ ନିର୍ଭର କରୁଛନ୍ତି । ବାଲିଗୁଡା ଟାଉନରେ ଉପଖଣ୍ଡ ସ୍ତରୀୟ ସମସ୍ତ କାର୍ଯ୍ୟାଳୟ ରହିଛି, ଯାହାକି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଅତିରିକ୍ତ ଦୌରାଜଜ, ଉପଖଣ୍ଡ ଡାକ୍ତର ଖାନା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଭିନ୍ନ ବ୍ୟାଙ୍କ ସଂସ୍ଥା ଓ ସରକାରୀ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଦୁର୍ବଳ ମୋବାଇଲ ନେଟୱର୍କ ଯୋଗୁଁ ସଦାସର୍ବଦା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ସେହପରି ପାଠ ପଢ଼ିବା ନିମନ୍ତେ ଛାତ୍ରଛାତ୍ରୀମାନେ ମଧ୍ୟ ମୋବାଇଲ ନେଟୱର୍କ ଉପରେ ସଂପୂର୍ଣ୍ଣ ରୁପେ ନିର୍ଭର କରିଥାନ୍ତି । ବର୍ତ୍ତମାନ ପ୍ରବଳ ଖରା ଓ ଗରମ ଯୋଗୁଁ ସରକାର ସ୍କୁଲ ଗୁଡିକୁ ଛୁଟି ଘୋଷଣା କରି ଅନଲାଇନରେ ଶିକ୍ଷାଦାନ ପାଇଁ ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ମୋବାଇଲ ନେଟୱାର୍କରୁ ଅଞ୍ଚଳବାସୀ ବଞ୍ଚିତ ହେବା ଅତି ନିନ୍ଦନୀୟ ଘଟଣା ବୋଲି ଚର୍ଚ୍ଚା ହେଉଛି । ତେଣୁ ବାଲିଗୁଡା ସହରବାସୀଙ୍କ ସ୍ୱାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ବିଏସ୍ଏନ୍ଏଲ୍ ଏବଂ ଜିଓ ଘରୋଇ ମୋବାଇଲ ଓ ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ବାଲିଗୁଡା ସହରର ବିଭିନ୍ନ ସ୍ଥାନରେ ଉଚ୍ଚ ଶକ୍ତି ସମ୍ପନ୍ନ ଏକାଧିକ ମୋବାଇଲ ଟାୱାର ସ୍ଥାପନ କରି ଅଞ୍ଚଳବାସୀଙ୍କୁ ନିର୍ଭୁଲ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ସେହିପରି ନୁଆସାହି ସତସଙ୍ଗ କେନ୍ଦ୍ର ନିକଟରେ ଥିବା ଜିଓ ଘରୋଇ ମୋବାଇଲ ସେବା ପ୍ରଦାନ କାରି ଟାୱାର ଟି ବିଦ୍ୟୁତ ବିଛିନ୍ନ ହୋଇଗଲେ ଉପଭୋକ୍ତାମାନେ ମୋବାଇଲ ସେବା ପାଇବାରୁ ବଞ୍ଚିତ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉପଖଣ୍ଡ ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେଇ ଦେଶର ଅଗ୍ରଣୀ ଏୟାରଟେଲ ଭଳି ବିଭିନ୍ନ ନେଟୱର୍କର ଉଚ୍ଚ ଶକ୍ତି ସମ୍ପନ୍ନ ଟାୱାର ସ୍ଥାପନ କରାଗଲେ ଅଞ୍ଚଳବାସୀ ଉଚିତ ନେଟୱର୍କ ସେବା ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।