
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଂଗଠନକୁ ସୁଦୃଢ କରିବା ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ସୋରେନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ପାନପୋଷ ତ୍ରୀଦେବ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜେ.ଏମ୍.ଏମ୍.ର ସଦସ୍ୟ ଲେଖା ତିର୍କୀ ସଂଯୋଜନା କରିଥିଲା ବେଳେ ଜେ.ଏମ୍.ଏମ୍. ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ସୋରେନ୍, ବାସନ୍ତୀ ମାରାଣ୍ଡି, ସାହେବଜୀ, ଅସଗର ଆଲାମ୍, କେନ୍ଦ୍ରୀୟ ସଦସ୍ୟ ପାତ୍ରାସ୍ ଏକ୍କା, କାହ୍ନା ମଣ୍ଡଲ, ଅମିତ ଶର୍ମା ପ୍ରମୁଖ ମଞ୍ଚାସୀନ ଥିଲେ । ଓଡିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ତଥା ରାଉରକେଲା ମହାନଗର ନିଗମ ବିଜ୍ଞପ୍ତି ପ୍ରକାଶ ଉପରେ ହୋଇଥିବା ଦୁଇଟି ମାମଲାକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଗତ ଏପ୍ରିଲ ୨୩ ତାରିଖରେ ଖାରଜ ହୋଇଯିବା ପରେ, ରାଉରକେଲା ମହାନଗର ନିଗମର ନିର୍ବାଚନ ଆଗାମୀ ୬ ମାସରେ ଘୋଷଣା ହେବାକୁ ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ତେଣୁ ସୁନ୍ଦରଗଡ ଜିଲ୍ଲାରେ ଜେଏମ୍ଏମ୍ ସଂଗଠନକୁ ମଜବୁତ୍ କରିବା ପାଇଁ ଜିଲ୍ଲାର ସାଂଗଠନିକ କମିଟିର ଗଠନ ଆସନ୍ତା ସମ୍ମିଳନୀରେ ଆଲୋଚନା କରାଯିବ ବୋଲି ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ସୋରେନ୍ ସୂଚନା ଦେଇଥିଲେ । ଏହି ସମ୍ମିଳନୀରେ ଜେଏମ୍ଏମ୍ ସଦସ୍ୟମାନେ ନିଜ ନିଜର ମତ ପ୍ରକାଶ କରିଥିଲେ ।