
ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ପୀଠରେ ଅନୁଷ୍ଠିତ ହେଉଥିବା ବୈଶାଖ ମେଳା-୨୦୨୬ ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲ୍ଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ଦିର ପରିସରରେ ଏକ ‘ଆୟୁର୍ବେଦିକ ଓପିଡି’ ଏବଂ ଔଷଧୀୟ ଚାରା ବିତରଣ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଏହି ଐତିହାସିକ ପୀଠରେ ଆୟୋଜିତ ଏହି ପ୍ରଦର୍ଶନୀ ମାଧ୍ୟମରେ ଆୟୁର୍ବେଦିକ ଚିକିତ୍ସା ଓ ଔଷଧ ରୋଗୀଙ୍କୁ ବିନା ମୂଲ୍ୟରେ ଡାକ୍ତରଙ୍କ ଦ୍ୱାରା ପ୍ରଦାନ କରାଯିବ । ଏହା ଛଡା ଔଷଧୀୟ ଚାରା ବିତରଣ କେନ୍ଦ୍ରରେ ଶୁଳ୍କ ବିରଳ ଔଷଧୀୟ ଗୁଳ୍ମ ଓ ଚେରମୂଳିର ଚିହ୍ନଟ ତଥା ଏହାର ଉପକାରିତା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଯାଉଛି । ଏହି ପଦକ୍ଷେପ ଦ୍ୱାରା ପାରମ୍ପରିକ ଆୟୁର୍ବେଦିକ ଜ୍ଞାନର ସଂରକ୍ଷଣ ସହ ଶ୍ରଦ୍ଧାଳୁମାନେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଅଧିକାରୀ ଡ. ଲକ୍ଷ୍ମୀ ଶ୍ରୀୟା ବେହେରା, ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନତ ପାଢ଼ୀ ଏବଂ ପଦ୍ମପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସିହ୍ନା, ଡା. ଶରତ ବେହେରା ଏବଂ ଅନ୍ୟାନ୍ୟ ଡାକ୍ଟର ଉପସ୍ଥିତ ଥିଲେ । ମେଳା ସମୟରେ ପରିଦର୍ଶକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ସେଠାରେ ବିଶେଷଜ୍ଞ ଏବଂ ଅଭିଜ୍ଞ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବୈଶାଖ ମେଳା ଏପ୍ରିଲ ୨୬ରୁ ଆରମ୍ଭ ହୋଇ ମେ’ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ମାଗଣାରେ ଏହି ଆୟୁର୍ବେଦିକ ସେବା ତଥା ପ୍ରଦର୍ଶନୀର ଲାଭ ଉଠାଇବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।