mahavir

ଜୟପାଟଣାରେ ଗୋ ସମ୍ମାନ ଅଭିଯାନ ସମ୍ପର୍କିତ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ଜୟପାଟଣା, (ଶେଷଦେବ ବେହେରା) : ଗୋ ସମ୍ମାନ ଆହ୍ୱାନ ଅଭିଯାନ ଆନୁକୂଲ୍ୟରେ ସିଦ୍ଧିବିନାୟକ ମନ୍ଦିର ପରିସରରୁ ଏକ ବିଶାଳ ପଟୁଆର ବାହାରି ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟକ ଗୋଭକ୍ତ, ସମାଜସେବୀ ଓ ସାଧାରଣ ଜନସାଧାରଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ଗୋ-ସୁରକ୍ଷା ପକ୍ଷରେ ସ୍ଲୋଗାନ ଦେଇ ସମଗ୍ର ପରିବେଶକୁ ସଚେତନମୂଳକ କରିଥିଲେ। ସକାଳ ୧୦ ଘଣ୍ଟା ସମୟରେ ତହସିଲଦାରଙ୍କ ମାଧ୍ୟମରେ ଏବଂ ଜିଲ୍ଲାପାଳଙ୍କ ନିକଟରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଉପସ୍ଥାପିତ କରାଯାଇଥିଲା । ଏହି ଦାବିପତ୍ରରେ ଦେଶରେ ବୃଦ୍ଧିଶୀଳ ଗୋ-ହତ୍ୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ କଡା କାନୁନୀ ବ୍ୟବସ୍ଥା ଗ୍ରହଣ କରିବା ସହିତ ଗୋମାତାଙ୍କୁ ଭାରତର ‘ରାଷ୍ଟ୍ରମାତା’ ଭାବେ ଘୋଷଣା କରି ସେମାନଙ୍କର ସମ୍ମାନ, ସୁରକ୍ଷା ଓ ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପିତ କରାଯାଇଥିଲା । ଏହା ସହ ଗୋ-ସଂରକ୍ଷଣ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଆଧୁନିକ ଗୋଶାଳା ସ୍ଥାପନ, ଅବାଧ୍ୟ ଓ ଅସୁରକ୍ଷିତ ଗୋ-ବଂଶର ସୁରକ୍ଷା ପାଇଁ ସରକାରୀ ପଦକ୍ଷେପକୁ ଜୋରଦାର କରିବା, ଗୋ-ତସକରୀ ଓ ଅବୈଧ ବ୍ୟବସାୟ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଗୋ-ଆଧାରିତ କୃଷି, ଦୁଗ୍ଧ ଉତ୍ପାଦନ ଓ ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ବିଶେଷ ଯୋଜନା ଆରମ୍ଭ କରିବାକୁ ମଧ୍ୟ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ପଣ୍ଡା, ଶେଷଦେବ ବେହେରା, ସାଧୁ ପ୍ରେମାନନ୍ଦ ଦାସ, ଶତ୍ରୁଜିତ୍ ବେହେରା, ଜଗମୋହନ ପଟ୍ଟାୟକ, ଦିବାକର ପଟ୍ଟନାୟକ, ହରି କିଷନ ଲାଲ୍ ଜୈନ, ବିକ୍ରମ ମହାରଣା, କିଶୋର ଚନ୍ଦ୍ର ସାହା, ଚୈତନ୍ୟ ସେଠୀ, ଅମରେଶ ସିଂହ, ଭାରତ ଭୂଷଣ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.