mahavir

କଳସ ଯାତ୍ରା ସହ ବୈଶାଖ ମେଳା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୂଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ଠାରେ ବୈଶାଖ ମେଳା ରବିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି । ଏକ ଭବ୍ୟ କଳସ ଶୋଭାଯାତ୍ରାରେ ବାହାରି ମା’ ଭଉଣୀ ତଥା ଭକ୍ତମାନେ ଝରଣାର ଚାଳଧାର ଘାଟରେ ପବିତ୍ର ପାଣି କଳସରେ ଆଣି ନୃସିଂହନାଥ ମନ୍ଦିର, ଶିବମନ୍ଦିର, ସମଲେଶ୍ୱରୀ ମନ୍ଦିର, ଶ୍ରୀରାମ ମନ୍ଦିର, ବିନ୍ଧ୍ୟବାସିନୀ ମନ୍ଦିର ଓ ଅନ୍ୟ ପାର୍ଶ୍ବଦେବାଦେବୀ ମନ୍ଦିରକୁ କଳସ ଯାତ୍ରାରେ ଯାଇ ପୂଜା ଅର୍ଚ୍ଚନା କରିବା ସହ ବିଶ୍ୱଶାନ୍ତି ମହାଯଜ୍ଞ ପୀଠରେ କଳସ ସ୍ଥାପନ କରିଥିଲେ । କର୍ତ୍ତା ଭାବେ ଚୁଡ଼ାମଣି ଭୁଏ ଓ ତାଙ୍କ ଧର୍ମପତ୍ନୀ ସନ୍ତୋସୀନୀ ଭୁଏ ଦାୟିତ୍ୱ ତୁଳାଉଛନ୍ତି । ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ମୁନା ଦେବତା କାର୍ଯ୍ୟ ତୁଳାଇ ଥିଲେ । ପାଇକମାଲ, ପଦ୍ମପୁର, ଝାରବନ୍ଧ ଆଦି ଅଞ୍ଚଳର ବହୁ ସଂଖ୍ୟାର ଭକ୍ତମାନେ ଯୋଗ ଦେଇ କଳସ ଯାତ୍ରା କରିଥିଲେ । ମନ୍ଦିର ଟ୍ରଷ୍ଟି ତଥା ପାଇକମାଲ ଏବିଡିଓ ଦେବାଶିଷ ସିହ୍ନା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ବୈଶାଖ ମେଳା କମିଟିର ସଭ୍ୟମାନେ ନିଜ ନିଜର ଦାୟିତ୍ୱ ତୁଳାଉଥିଲେ । ୨୭ ତାରିଖ ବିଶ୍ୱଶାନ୍ତି ମହାଯଜ୍ଞ ସହ ନୃସିଂହ ବୀଜ ମନ୍ତ୍ର ଜପ କରାଯିବ । ୨୮ ତାରିଖ ଠାରୁ ୧ ତାରିଖ ପର୍ଯ୍ୟନ୍ତ ବିନ୍ଧ୍ୟବାସିନୀ ଓ ମାର୍ଜାର କେଶରୀ ମଣ୍ତପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ଦିଆଯାଇଛି । ପୋଲିସ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଦମକଳ ବିଭାଗୀୟ କର୍ମଚାରୀମାନେ ନିଜ ନିଜର ଦାୟିତ୍ୱ ତୁଳାଉଛନ୍ତି ।

Leave A Reply

Your email address will not be published.