mahavir

ବିକାଶ ଧାରାରୁ ବାଦ୍ ପଡ଼ିଥିବା ଜାନିପଡ଼ା ଏବେ ଜଳ କଷ୍ଟରେ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଅନେକ ବୋଝ ଉଠାଇ ଥିବା ଜାନିପଡ଼ା ଗ୍ରାମର ଅଧିବାସୀଙ୍କ ପାଇଁ ଏବେ ଜୀବନ ଧାରଣର ବୋଝ ଉଠାଇବା କଷ୍ଟକର ହୋଇପଡ଼ିଛି । ସମୟ ଥିଲା ସେଠିକାର ମଣିଷମାନେ ବଡ଼ ବଡ଼ ବୋଲ୍ଡର ଭାଙ୍ଗି ମେଟାଲ ଓ ଚିପ୍ସ ତିଆରି କରି କିଛିଟା ବଞ୍ଚିବାର ରାହା ଖୋଜି ଥିଲେ । ବର୍ତ୍ତମାନ ଲୋକଙ୍କ ହାତରେ କାମ ନାହିଁ କି ଜୀବନ ଧାରଣର ପନ୍ଥା ମଧ୍ୟ ସରିଯାଇଛି । ପ୍ରକୃତି ଉପରେ ନିର୍ଭର କରି ଚଳି ଆସୁଥିବା ଏ ମାନଙ୍କ ପାଇ ଲଣ୍ଡା ପାହାଡ଼ ଓ ବିଭାଗୀୟ କଟକଣା ବଞ୍ଚିବାର ବାଟକୁ ଅଟକାଇ ଦେଇଛି । ପାରିବା ପଣିଆ ରଖିଥିବା ଯୁବକମାନେ ଏବେ ପାଲଟିଛନ୍ତି ପ୍ରବାସୀ ଶ୍ରମିକ । ଗାଁଟି ଯାକର ଲୋକଙ୍କ ମଧ୍ୟରେ ଏକ ନିରାଶାର ଛାଉଣି ଦେଖିବାକୁ ମିଳିଥିଲା । ସାମୟିକ କଷ୍ଟ ସମ୍ପର୍କରେ ପଚାରିବାରୁ ଗାଁରେ ସତୁରୀ ପରିବାର ଥିବାବେଳେ ଗୋଟିଏ ମାତ୍ର ନଳକୂଅ ସଚଳ ଥିବା କଥା କହିଥିଲେ । ସ୍ଵାଧୀନତାର ବହୁ ପୂର୍ବରୁ ଟିକ୍ଲି ଡଙ୍ଗରର ପାଦଦେଶରେ ବହି ଯାଉଥିବା ଘୋଡ଼ା ଗାଢ଼ ଝରଣା ପାର୍ଶ୍ଵରେ ଜାନିପଡ଼ା ଗ୍ରାମର ଅବସ୍ଥିତି । ଅଜିର ସମୟରେ ଜୟପାଟଣା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ୧୨ ନମ୍ବର ୱାର୍ଡର ଅଂଶ ବିଶେଷ । ସମୟ ଥିଲା ବର୍ଷ ତମାମ ଝରି ଆସୁଥିବା ଘୋଡ଼ା ଗାଢ଼ ଝରଣା ଦେହରେ ବାଲି ଚୁଆଖୋଳି ତୃଷା ମେଣ୍ଟାଇ ଆସୁଥିଲେ । ଏବେ ଜାନୁଆରୀ ମାସ ଆସିଲେ ସେହି ଚିରସ୍ରୋତା ଝରଣା ମଧ୍ୟ ସୁଖି ଯାଉଛି । ଗାଁରେ ତିନୋଟି ନଳକୂପ ଥାଇ ମଧ୍ୟ ଦୁଇଟି କୂପ ବ୍ୟବହାର ଉପଯୋଗୀ ହେଉ ନ ଥିବାରୁ ଗୋଟିଏ ଉପରେ ସମସ୍ତେ ନିର୍ଭରଶୀଳ । ଗାଁ ପୋଖରୀ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇଥିଲେ ବି ପାୱାର କେନାଲ ଓ ସେହି ପୋଖରୀକୁ ଲୋକେ ବ୍ୟବହାର କରନ୍ତି । ଗ୍ରୀଷ୍ମ ଅସିଲେ ଗାଁରେ ଜଳ କଷ୍ଟ ବଢି ଯାଉଛି । ଏ ମାନଙ୍କ ପାନୀୟ ଜଳ କଷ୍ଟକୁ ନେଇ ବିଡିଓ ଧର୍ମରାଜ ମାଝୀଙ୍କ ସାଙ୍ଗରେ ଯୋଗାଯୋଗ କରିବାରୁ ଖୁବ କମ ଦିନ ମଧ୍ୟରେ ଗୋଟିଏ ନଳକୂପ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଇନ୍ଦ୍ରାବତୀ ପ୍ରକଳ୍ପ ଠାରୁ ଦୁଇ କିଲୋମିଟର ଦୂରେ ଅବସ୍ଥିତ ଜାନିପଡ଼ା ପାଇଁ ପାରିପାର୍ଶ୍ବିକ ବିକାଶ ପାଣ୍ଠି କିମ୍ବା ଗାଁର ବିକାଶ ପାଇଁ ସରକାରୀ ସ୍ତରରେ କୌଣସି ପ୍ରୟାସ ହୋଇ ନ ଥିବା ଲୋକେ ପ୍ରକାଶ କରନ୍ତି । ଶୁଖିଲା ଘୋଡ଼ା ଗାଢ଼ ଝରଣା ଦେହରେ ଅନେକ ଆଡି ବନ୍ଧ ତିଆରି କରି ଅପଚୟ ହେବା ଛଡ଼ା ଆଉ କଛି ବିକାଶ ହେଇ ନ ଥିବା ଲୋକେ ପ୍ରକାଶ କରନ୍ତି । ଗାଁରେ ବିଦ୍ୟାଳୟ ଖଣ୍ଡିଏ ନ ଥିବାରୁ ଦୁଇ କିଲୋମିଟର ରାସ୍ତା ଅତିକ୍ରମ କରି ରାଣୀବାହାଲ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବାକୁ ପଡିଥାଏ । ଏଭଳି ଅନେକ ଆଦିବାସୀ ଅଞ୍ଚଳ ପ୍ରଶାସନିକ ଦୃଷ୍ଟି ବାହାରେ ରହି ଆସୁଥିବା ବେଳେ ସାମାଜିକ ସୁରକ୍ଷା, ଶିକ୍ଷା ଓ ଶିଶୁ ମଙ୍ଗଳ ବ୍ୟବସ୍ଥା ସମସ୍ୟା ହେଇ ଠିଆ ହୋଇଛି । ଖାଦ୍ୟ ସୁରକ୍ଷା ନାମକୁ ମାତ୍ର ଥିବାବେଳେ ଏବେବି ଅନେକ ଶିଶୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ରହିଥିବା ଲୋକେ ପ୍ରକାଶ କରନ୍ତି । ଅନେକ ସମସ୍ୟା ସାଙ୍ଗରେ ଜଡିତ ଥିବା ଜାନିପଡ଼ା ଗ୍ରାମକୁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.