mahavir

ଘରେ ନଥିବା ଦେଖି ୩ ଲକ୍ଷ ସହ ୭ ଭରି ସୁନା ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରି ଓ ଲୁଟ୍ ଘଟଣା । ଆଜି ଏଭଳି ଦେଖିବାକୁ ମିଳିଛି କଲ୍ୟାଣସିଂହପୁର ସହରର ଦାନୁ ସାହିରେ । ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଘଟଣା ସାମ୍ନାକୁ ଆସିଛି । ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । କଲ୍ୟାଣସିଂହପୁର ବ୍ଲକର ଦାନୁ ସାହିରେ ଘଟିଛି ଏହି ଚୋରି ଘଟଣା । ସ୍ଥାନୀୟ ବାସିନ୍ଦା ସୁଶାନ୍ତ ସେନାପତିଙ୍କ ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଘର ପଛପଟ କବାଟ ଖୋଲି ଭିତରକୁ ପ୍ରବେଶ କରିଥିଲେ । ଘର ଭିତରେ ଥିବା ଆଲମାରୀକୁ ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଗହଣା ସହ ନଗଦ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଦୁଇଟି ସୁନା ଚେନ୍, ଦୁଇଟି ମୁଦି, କାନ ଫୁଲ, ସୁନା ହାର ଓ ପ୍ରାୟ ୩ ଲକ୍ଷ ଟଙ୍କା ନଗଦ ରହିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିବା ଜଣାପଡିଛି । ଅଭିଯୋଗ ପରେ ଘଟଣା ସ୍ଥଳରେ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ, କଲ୍ୟାଣ ସିଂହପୁର ଥାନା ଅଧିକାରୀ କଳ୍ପନା ବେହେରା ଏବଂ ପୁଲିସ ଦଳ ସହ ସନ୍ଧାନୀ କୁକୁର ଆଣି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦାମାନେ । ଏହି ଘଟଣା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଦୁର୍ବୃତ୍ତମାନଙ୍କୁ କେବେ ଧରାଯିବ ଏବଂ ଚୋରି ହୋଇଥିବା ସାମଗ୍ରୀ କେବେ ଉଦ୍ଧାର ହେବ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.