mahavir

ତେଲେଙ୍ଗାନାରେ ଓଡ଼ିଶାର ୨୯ ଦାଦନ ଶ୍ରମିକ ବନ୍ଧକ ଭାବରେ ଫଶି ନିର୍ୟାତନା ପାଉଥିବା ଅଭିଯୋଗ : ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବରଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ଯାଇଥିବା ଓଡ଼ିଶାର ୭ଟି ପରିବାରର ୨୯ ଜଣ ଦାଦନ ଶ୍ରମିକ ତେଲେଙ୍ଗାନାର ଏକ ଇଟାଭଟ୍ଟିରେ ବନ୍ଧୁଆ ଶ୍ରମିକ ଭାବେ ଫଶି ନିର୍ଯ୍ୟାତନା ପାଉଥିବା ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ଏହି ଶ୍ରମିକମାନଙ୍କ ମଧ୍ୟରେ ୧୦ ଜଣ ପୁରୁଷ, ୭ ଜଣ ମହିଳା ଓ ୧୨ ଜଣ ଶିଶୁ ଥିବାରୁ ଘଟଣାଟି ଅଧିକ ଗୁରୁତ୍ୱ ନେଇଛି । ସୂଚନା ଅନୁଯାୟୀ, ସେମାନେ ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାର ନରସିଂପଲ୍ଲୀ ଅଞ୍ଚଳର ମୁଡାକପଲ୍ଲୀରେ ଥିବା ଏକ ଇଟାଭାଟିରେ କାମ କରୁଥିବା ବେଳେ ଏହି ଅଭିଯୋଗ ଉଠିଛି । ଶ୍ରମିକମାନେ ଦୀର୍ଘ ସମୟ ଧରି କଷ୍ଟସାଧ୍ୟ ପରିସ୍ଥିତିରେ କାମ କରୁଥିବା ସତ୍ତ୍ୱେ ସେମାନଙ୍କୁ ଯଥୋଚିତ ଟଙ୍କା ଦିଆଯାଉନଥିବା ଅଭିଯୋଗ ହୋଇଛି । ତଥାପି, କେତେକ ଶ୍ରମିକ ସମସ୍ତ ଦେୟ ଶୋଧ କରିଥିବା ସହିତ ଅତିରିକ୍ତ ଟଙ୍କା କରିଥିବା କୁହା ଯାଉଥିବା ସତ୍ତ୍ୱେ ଭାଟି ମାଲିକ ସେମାନଙ୍କୁ ଟଙ୍କା ଦେଉନାହାନ୍ତି । ଏହା ସହିତ, ଶ୍ରମିକମାନଙ୍କୁ ସେଠାରୁ ବାହାରିବାକୁ ମନା କରାଯିବା ସହ ମାନସିକ ଓ ଶାରୀରିକ ଭାବରେ ନିର୍ଯ୍ୟାତନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହାକୁ ସ୍ପଷ୍ଟ ଭାବେ ବନ୍ଧୁଆ ଶ୍ରମ ଓ ଅବୈଧ ଅଟକ ଭାବେ ଦେଖାଯାଉଛି । ଏପରି ଘଟଣା ମାନବାଧିକାର ଉଲ୍ଲଂଘନର ଗଭୀର ଚିତ୍ର ପ୍ରକାଶ କରୁଛି । ପୀଡ଼ିତ ଶ୍ରମିକମାନେ ବରଗଡ଼ ଜିଲ୍ଲାର ପାଇକମାଲ ଥାନା ମିଠାପାଲି ପଞ୍ଚାୟତ ଲୌଡମାଲର ୪ ଜଣ, ଛିନ୍ଦେଇକେଲା ପଞ୍ଚାୟତ ମଖନମୁଣ୍ଡାର ୮ ଜଣ , କାଂସଢ ପଞ୍ଚାୟତ କାଂସଡ଼ାର ୭ ଜଣ, ଜାମସେଠ ପଞ୍ଚାୟତ ଭରୁଆମୁଣ୍ଡାର ୨ ଜଣ ଓ ଖରାମାଲ ଗ୍ରାମ ୪ ଜଣ ସହିତ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଥାନା କୋଟେନଚୁଆଁ ପଞ୍ଚାୟତ ଝାଞ୍ଜିମୁଣ୍ଡା ଗ୍ରାମରୁ ୪ ଜଣ ଯାଇଥିବା ଜଣାପଡ଼ିଛି । ଏହି ଗ୍ରାମଗୁଡ଼ିକର ଅଧିକାଂଶ ଲୋକ ଦୈନିକ ଜୀବିକା ପାଇଁ ବାହାର ରାଜ୍ୟକୁ ପ୍ରବାସ କରୁଥିବାରୁ ସେମାନେ ଏପରି ଶୋଷଣର ଶିକାର ହେଉଥିବା ଦେଖାଯାଉଛି । ଏହି ଘଟଣା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର କେନାବୁଦା ଗ୍ରାମର ସାମାଜିକ କର୍ମୀ ବେଦବର ସାହୁଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ସକ୍ରିୟ ହୋଇଛନ୍ତି । ସେ ଓଡ଼ିଶା ସରକାର, ତେଲେଙ୍ଗାନା ସରକାର ଓ ମାନବାଧିକାର କମିଶନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଏହାର ତତ୍କାଳ ସମାଧାନ ପାଇଁ ଅପିଲ୍ କରିଛନ୍ତି । ଶ୍ରମିକମାନଙ୍କୁ ଶୀଘ୍ର ଉଦ୍ଧାର କରି ସୁରକ୍ଷିତ ଭାବେ ଘରକୁ ଫେରାଇବା ପାଇଁ ସେ ଜୋର ଦେଇଛନ୍ତି । ଏହି ଘଟଣା ରାଜ୍ୟ ବାହାରକୁ କାମ ପାଇଁ ଯାଉଥିବା ଶ୍ରମିକମାନଙ୍କ ସୁରକ୍ଷା ନେଇ ପୁନର୍ବାର ପ୍ରଶ୍ନ ଉଠାଇଛି । ସରକାର ଏହାକୁ ଗୁରୁତ୍ୱର ସହିତ ନେଇ ତତ୍କାଳ ପଦକ୍ଷେପ ନେବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି । ଶ୍ରମିକମାନଙ୍କୁ ଶୀଘ୍ର ଉଦ୍ଧାର କରି ସୁରକ୍ଷିତ ଭାବେ ଘରକୁ ଫେରାଇବା ପାଇଁ ସେ ଜୋର ଦେଇଛନ୍ତି । ଇଟାଭାଟି, ସର୍ଦ୍ଦାର ଓ ମଧ୍ୟସ୍ଥିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏହା ସହ ଏହାକୁ ଗୁରୁତ୍ୱର ସହିତ ନେଇ ତତ୍କାଳ ପଦକ୍ଷେପ ନେବେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Leave A Reply

Your email address will not be published.