
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ତହସିଲ ଅଂଚଳରେ ମାଙ୍କଡା ପଥର ମାଫିଆଙ୍କ ଦୌରାତ୍ମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲ ଜମି, ସରକାରୀ ଜମି ସହିତ ଶ୍ମଶାନକୁ ମଧ୍ୟ ଖୋଳି ବେଆଇନ୍ ମାଙ୍କଡା ପଥର ଖନନ କରିବା ଓ ଚୋରାଚାଲଣ କରୁଥିବା ଅଭିଯୋଗ ହୋଇଛି । ବରପଦା ଗ୍ରାମର ଚଣ୍ଡିସାହିରେ ଥିବା ଶ୍ମଶାନ ଜମି ପଡିଆକୁ କେତେକ ବ୍ୟକ୍ତି ବେଆଇନ୍ ଭାବେ ୪୦/୩୦ ଫୁଟ ଗଭୀରର ଖୋଳି ମାଙ୍କଡାପଥର ଚୋରା ଚାଲଣ କରୁଛନ୍ତି । ଯାହା ଫଳରେ ଚଣ୍ଡିସାହି ବାସିନ୍ଦାଙ୍କ ଶବସତ୍କାର କରିବାରେ ସମସ୍ୟା ଉପୁଜୁଛି । ଗ୍ରାମ୍ୟ ଶ୍ମଶାନ ସୁରକ୍ଷା ନେଇ ଆମ୍ବେଦକର ଲୋହା ବିଚାର ମଂଚର ଜିଲ୍ଲା ସମ୍ପାଦକ ଅକ୍ଷୟ ବେହେରା, ରାଜ୍ୟ ସମ୍ପାଦକ କିଷାନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଣ୍ଡିସାହି ବାସିନ୍ଦା ବୁଲା ରାଉତ, ଦୟାନିଧି ବେହେରା, ଶରତ କୁମାର ବେହେରା, ଭଗବାନ ବେହେରା, ମନୁ ନାୟକ ପ୍ରମୁଖ ଶ୍ମସାନ ସୁରକ୍ଷା ନେଇ ଡେଲାଙ୍ଗ ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏତଦ୍ ସହିତ ପଥର ଖନନ କରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଂଚ ପକ୍ଷରୁ ଦାବୀ କରାଯାଇଛି ।