mahavir

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିରୋଧ : କୁଶ ପୁତ୍ତଳିକା ଦାହ କଲା ବିଜେଡି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗିର ଗସ୍ତକୁ ଦୃଷ୍ଟିରେ ରଖି ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ବିଜେପି ସରକାରର ବିଫଳତା, ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା, ମହିଳା ହିଂସା ତଥା ଭୋଟର ତାଲିକାରେ ତ୍ରୁଟି ପ୍ରତିବାଦରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଲୋଇସିଂହା ବ୍ଲକ ବିଜୁ ଜନତା ଦଳ ସଭାପତି ସରୋଜ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରତିବାଦ ସଭାରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ଚାଷୀନେତା ଆକାଶ ମିଶ୍ର, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଆଦିବାସୀ ନେତା ସତ୍ୟ ଭୋଇ, ଲୋଇସିଂହା ବ୍ଲକ ମହିଳା ସଭାନେତ୍ରୀ ଜ୍ୟୋସ୍ନାମୟୀ ନାଗ, ପୁଇଁତଲା ବ୍ଲକ ଅଧକ୍ଷ ସରୋଜ ପଧାନ, ବବିତା ପଟେଲ, ବୀଣାପାଣି ଦାସ, ବିଜୟ ବାବୁ, ବରିଷ୍ଠ ନେତା ପୂର୍ଣଚନ୍ଦ୍ର ସାହୁଙ୍କ ସମେତ ବହୁ ବିଜେଡ଼ି ନେତା ବିଜେପି ସରକାର ଉପରେ ବର୍ଷି ଥିଲେ । ନିର୍ବାଚନ ସମୟରେ ମିଥ୍ୟା ପ୍ରତିଶୃତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ବିଜେଡି ନେତୃବୃନ୍ଦ ବିଶୋଦଗାର କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଶେଷରେ ବିଜେଡ଼ିର ସମସ୍ତ କର୍ମୀ ବ୍ଲକ କାର୍ଯ୍ୟାଳୟକୁ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.