mahavir

ଦାଦନଗଡ଼ରେ ଜୈବିକ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ଗାଁର ମହିଳା ଚାଷୀ ଶୃଙ୍ଖଳା ପୁଟେଲ । ଚାଷ ପ୍ରତି ତାଙ୍କର ବହୁତ ଆଗ୍ରହ । ବହୁ ପରିଶ୍ରମ କରି ନିଜ ସ୍ୱାମୀଙ୍କ ସହ ଏକର ଏକର ଚାଷ ଜମିରେ ପନିପରିବା ଚାଷକରି ନିଜେ ସ୍ୱାବଲମ୍ବି ହେବା ସହ ଗାଁର ଅନେକ ପରିବାରକୁ ରୋଜଗାର ଯୋଗାଇ ଦେଉଛନ୍ତି । ବଲାଙ୍ଗିର ଜିଲ୍ଲା ଦାଦନଗଡ଼ ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁର ମହିଳା ଚାଷୀ ଶୃଂଖଳା ପୁଟେଲ । ନିଜର ୩ ଏକର ଚାଷ ଜମିରେ ଜୈବିକ ପଦ୍ଧତିରେ ବିଭିନ୍ନ ପନିପରିବା ଚାଷ କାର୍ଯ୍ୟ ଜାରି ରଖିଛନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ଚାଷବାସ କରିଥାନ୍ତି । ସେଥିରୁ ଭଲ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି । ଓଡିଶା ଜୀବିକା ମିଶନ ପକ୍ଷରୁ ପ୍ରୋତ୍ସାହନ ପାଇଥିବା ପ୍ରକାଶ କରିଛନ୍ତି । ତାଙ୍କ ଚାଷ ଜମିରେ କୃଷି ଶ୍ରମିକ ଭାବେ କାମ କରନ୍ତି, ତାଙ୍କ ଗାଁର ୪ ରୁ ୫ ଶ୍ରମିକ । ଏହି ଶ୍ରମିକମାନେ ପୂର୍ବରୁ ଅନ୍ୟ ବିଭିନ୍ନ ଗାଁରେ କାମ କରୁଥିଲେ । ଏବେ ଶୃଂଖଳାଙ୍କ ପନିପରିବା ବଗିଚାରେ କାମ କରୁଛନ୍ତି । ନିଜେ ସ୍ୱାବଲମ୍ବି ହେବା ସହ ଆଉ ୫ ଜଣଙ୍କୁ ରୋଜଗାର ଦେଉଛନ୍ତି । ତାଙ୍କ ଚାଷ ଜମିରେ ଡ୍ରାଗନ ଫ୍ରୁଟ୍ସ, ଟମାଟୋ, ବାଇଗଣ, କୋବି, ସଜନା ସହ ବିଭିନ୍ନ ଚାଷ କରନ୍ତି । ୨୦ ବର୍ଷରୁ ଅଧିକ ହେବ ଅଳ୍ପ ଜମିରେ ଚାଷ କରୁଥିବା ବେଳେ ସ୍ୱାମୀଙ୍କ ସହ ମିଶି ପନିପରିବା ଚାଷ କାର୍ଯ୍ୟ କରି ଆସୁଥିଲେ । ଓଡ଼ିଶା ଜୀବିକା ମିଶନ ସହାୟତାରେ ଗତ ୩ ବର୍ଷ ହେବ ୩ ଏକର ଜମିରେ ସ୍ୱାମୀ ସହ ମିଶି ଚାଷ କାମ ଆରମ୍ଭ କରିଥିବା ବେଳେ ଏବେ ନିଜେ ରୋଜଗାର କରିବା ସହ ଅନ୍ୟ ମାନଙ୍କୁ ରୋଜଗାର ଯୋଗାଇ ପାରୁଛନ୍ତି । ବଜାର ବ୍ୟବସ୍ଥା ନ ଥିବାରୁ ନିଜ ଉତ୍ପାଦିତ ସାମଗ୍ରୀକୁ କୁଚିଆ ବ୍ୟବସାୟୀ ତଥା ଖଡ଼ିଆଳ ବଜାରରେ ବିକ୍ରି କରିଥାନ୍ତି । ବ୍ଲକରେ ପନିପରିବା ମଣ୍ଡି ବ୍ୟବସ୍ଥା ହେଲେ ବିକିବା ସୁବିଧା ହୋଇପାରିବ ବୋଲି ଆଶା କରିଛନ୍ତି । ଶୃଙ୍ଖଳା ପୁଟେଲ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରଥମେ ୫୦ ହଜାର ଏବଂ ପରେ ୧ ଲକ୍ଷ ଟଙ୍କା ଋଣ ନେଇ କୃଷି କାର୍ଯ୍ୟରେ ବିନିଯୋଗ କରିଥିଲେ । ଋଣ ଟଙ୍କା ବିନିଯୋଗ କରି ନିଜର ଅଧିକ ଚାଷ ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ଏବେ ଋଣ ଟଙ୍କା ମଧ୍ୟ ସୁଝି ସାରିଥିବା କହିଛନ୍ତି । ଓଡ଼ିଶା ଜୀବିକା ମିଶନର କୃଷି ମିତ୍ର, ପ୍ରାଣୀ ମିତ୍ରଙ୍କ ସହାୟତାରେ ନିଜେ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି । ଜିବାମୃତ, ନିମ୍ବାସ୍ତ୍ର, ବିଜାମୃତ ଆଦି ଜୈବିକ ସାର ପ୍ରୟୋଗ କରି ଭଲ ଲାଭବାନ ହେଉଛନ୍ତି । ବୈଷୟିକ ପରାମର୍ଶ ପାଇ ଜୈବିକ ଚାଷ କରିବା ପାଇଁ ଆଗ୍ରହୀ ହୋଇଥିଲେ । ପନିପରିବା ଚାଷ କରୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ପାଇଁ ଦାବି କରିଛନ୍ତି । ଦାଦନ ଗଡ଼ରେ ଦାଦନ ନ ଯାଇ ନିଜ ଗାଁରେ ଜୈବିକ ଖତରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Leave A Reply

Your email address will not be published.