
ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ସୁନ୍ଦରଗଡ଼ ଆଥଲେଟିକ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ସି.ଏମ୍.ଟ୍ରଫି ଅନ୍ତଃକ୍ଲବ୍ ଓ ଅନ୍ତଃଜିଲ୍ଲା ବାଳିକା କବାଡି଼ ଚମ୍ପିଆନ୍ସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସକାଳେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ହୃଷିକେଶ ରାୟ କଲେଜର ପ୍ରିନ୍ସିପାଲ୍ ବିନୟ କୁମାର ସାହାଣୀ ଓ ସମାଜସେବୀ ହରିହର ରାଉତରାୟ ବରେଣ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବଣେଇ ବିକାଶ ପରିଷଦର ସଭାପତି ସନତ୍ କୁମାର ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଦଳ ଅଂଶଗ୍ରହଣ କରିଥିଲେ । ଲହୁଣିପଡ଼ାର ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ ବିଜେତା ହୋଇଥିବା ବେଳେ ସୁନ୍ଦରଗଡ଼ ସଦର କୁଇନ୍ ଦଳ ଉପ-ବିଜେତା ହୋଇଥିଲେ । ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର ପ୍ରମୁଖ କର୍ମକର୍ତ୍ତା ରାଧାମୋହନ ନାୟକ, ବିଭୂଦତ୍ତ ବେହେରା, ପ୍ରସାଦ କୁମାର ପଟେଲ, ଅରବିନ୍ଦ ପାତ୍ର, ଗୋପିନାଥ ପଣ୍ଡା ପ୍ରମୁଖ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ । ବିଜେତା ଚୟନ ଦଳରେ ବେଣୁଧର କୁମ୍ଭାର, ବଜରଙ୍ଗ ବାଗ୍ ଓ ପାର୍ବତୀ ସାହୁ ରହିଥିବା ବେଳେ ଏହି କ୍ରୀଡ଼ା ପ୍ରତିଯୋଗିତା ପରିଚାଳନାରେ ବିଦ୍ୟାଧର ସେଠୀ, ନରହରି ପଣ୍ଡା, ରାମଚନ୍ଦ୍ର ବିଶ୍ୱାଳ, ରାକେଶ ବାରିକ, ଅଶୋକ କୁମାର ରାଉତ, ସତ୍ୟରଞ୍ଜନ ପଣ୍ଡା, ଭରତ କୁମାର ସାହୁ, ଆଶିଷ କୁମାର ପ୍ରଧାନ, ସଂଜୀବ ସିଂ ପ୍ରମୁଖ ସହଯୋଗ କରିଥିଲେ ।