
ପଦ୍ମପୁର, (ନିରୋଜ କୁମାର ପାଣୀ) : “ସଫଳତା ସମ୍ପଦରୁ ନୁହେଁ, ସାହସ ଓ ଅଦମ୍ୟ ପ୍ରୟାସରୁ ଆସେ” ଏହି କଥାକୁ ନିଜ ଜୀବନରେ ସତ୍ୟ କରିଦେଇଛନ୍ତି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ଗାଁର ଚାଷୀ ପୁଅ ଡ଼ା. ଧନଞ୍ଜୟ ଠାକୁର । ଦୁର୍ବଳ ପରିସ୍ଥିତିରେ ଜନ୍ମ ନେଇ ଲଣ୍ଠନ ଆଲୋକରେ ପଢ଼ିଥିବା ଏହି ଯୁବକ ଆଜି ବାରାଣସୀର ପ୍ରସିଦ୍ଧ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଭୌତିକ ବିଜ୍ଞାନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇ ନିଜ ଅଞ୍ଚଳ ସହ ସମଗ୍ର ରାଜ୍ୟର ଗୌରବ ବଢ଼ାଇଛନ୍ତି । ଗ୍ରାମୀଣ ପରିବେଶରେ ବଢ଼ିଉଠିଥିବା ଡ଼ା. ଠାକୁରଙ୍କ ପିଲାଦିନ ସହଜ ନଥିଲା । ସେତେବେଳେ ଗାଁରେ ବିଦ୍ୟୁତ୍ ସୁବିଧା ନଥିବାରୁ ସେ କିରୋସିନି ଲଣ୍ଠନ ଆଲୋକରେ ରାତି ଜଗି ପାଠ ପଢ଼ୁଥିଲେ । ପ୍ରାଇଭେଟ୍ କୋଚିଙ୍ଗର ସୁବିଧା ନଥିବା ସତ୍ତ୍ୱେ ସେ ନିଜର ଦୃଢ ସଙ୍କଳ୍ପ ଓ ଶିକ୍ଷକମାନଙ୍କ ମାର୍ଗଦର୍ଶନକୁ ଭରସା କରି ଆଗକୁ ବଢ଼ିଥିଲେ । ଛୋଟ ଗାଁରୁ ଆରମ୍ଭ ହୋଇଥିବା ତାଙ୍କ ଶିକ୍ଷା ଯାତ୍ରା ପରେ ବଡ଼ ସଫଳତାର ଦ୍ୱାର ଖୋଲିଥିଲା । ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରୁ ସ୍ନାତକ ସମାପ୍ତ କରି ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭୌତିକ ବିଜ୍ଞାନ ସମ୍ମାନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପରେ ସେ ସେଠାରୁ ସ୍ନାତକୋତ୍ତର ଡିଗ୍ରୀ ଲାଭ କରି ନିଜ ଶିକ୍ଷାରେ ଆଉ ଏକ ମାଇଲଷ୍ଟୋନ୍ ସୃଷ୍ଟି କରିଥିଲେ । ତାଙ୍କ ଅଦମ୍ୟ ପ୍ରୟାସ ତାଙ୍କୁ ଦେଶର ପ୍ରମୁଖ ପ୍ରତିଯୋଗିତାମୂଳକ ପରୀକ୍ଷା NET-JRF, GATE ଓ JESTରେ ଉତ୍କୃଷ୍ଟ ଫଳ ଦେଇଥିଲା । ଏହା ପରେ ସେ ଆଇଆଇଟି ଇନ୍ଦୋରରୁ ୨୦୧୯ ମସିହାରେ ପିଏଚ୍ଡି ସମ୍ପନ୍ନ କରି ଗବେଷଣା ମାର୍ଗରେ ଦୃଢ ପଦକ୍ଷେପ ନେଇଥିଲେ । ତାଙ୍କ ଗବେଷଣା କ୍ଷେତ୍ର ‘କ୍ୱାର୍କ-ଗ୍ଲୁଅନ୍ ପ୍ଲାଜ୍ମା (QGP)’—ଯାହା ବିଗ୍ ବ୍ୟାଙ୍ଗ ପରେ ସୃଷ୍ଟି ହୋଇଥିବା ପ୍ରାରମ୍ଭିକ ପଦାର୍ଥର ଅବସ୍ଥାକୁ ବୁଝିବାରେ ମୁଖ୍ୟ । ଏହି ଜଟିଳ ବିଷୟରେ ତାଙ୍କ ଗବେଷଣା ଆନ୍ତର୍ଜାତୀୟ ମାନ୍ୟତା ପାଇଛି । ଡ଼ା. ଠାକୁର ସ୍ୱିଜରଲ୍ୟାଣ୍ଡର CERN, ଆମେରିକାର ବ୍ରୁକହାଭେନ୍ ନ୍ୟାସନାଲ୍ ଲାବ୍ ଓ ଚୀନର ଆଧୁନିକ ପରୀକ୍ଷାଣ କେନ୍ଦ୍ର ସହ କାମ କରିଛନ୍ତି । ଚୀନ ଓ ଇଟାଲୀରେ ସେ ୬ ବର୍ଷରୁ ଅଧିକ ସମୟ ପୋଷ୍ଟ-ଡକ୍ଟରାଲ୍ ଗବେଷଣା କରି ଆନ୍ତର୍ଜାତୀୟ ମଞ୍ଚରେ ନିଜ ପରିଚୟ ସୃଷ୍ଟି କରିଛନ୍ତି । ୨୦୨୩ରେ ସେ INFN ଫେଲୋସିପ୍ ଲାଭ କରିଥିବା ବେଳେ ୨୦୨୫ରେ ‘ବ୍ରେକଥ୍ରୁ ପ୍ରାଇଜ୍’ ପାଇଥିବା ଗବେଷଣା ଦଳର ସଦସ୍ୟ ଭାବେ ଗୌରବାନ୍ୱିତ ହୋଇଥିଲେ । ସମସ୍ତ ଆନ୍ତର୍ଜାତୀୟ ସଫଳତା ପରେ ମଧ୍ୟ ଡ଼ା. ଠାକୁର ନିଜ ମୂଳକୁ ଭୁଲିନାହାନ୍ତି । ସେ ବର୍ତ୍ତମାନ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଉଚ୍ଚମାନର ଗବେଷଣା ଦଳ ଗଠନ କରିବା ସହ ଗାଁ ଓ କୃଷିକୁ ଉନ୍ନତ କରିବା ପାଇଁ ନୂତନ ପ୍ରୟାସ କରୁଛନ୍ତି । ବିଶେଷ କରି ଧାନ ଫସଳର ‘ଡ୍ରପ୍ ରୋଗ’ ଚିହ୍ନଟ ପାଇଁ ମୋବାଇଲ୍ ଆଧାରିତ ଏଆଇ ପ୍ରଯୁକ୍ତି ଉନ୍ନତ କରିବା ତାଙ୍କ ଲକ୍ଷ୍ୟ । ଏହା ଚାଷୀମାନଙ୍କୁ ସହଜ ଓ ଶସ୍ତା ଭାବରେ ସହାୟତା କରିପାରିବ । ତା ସହିତ ସେ ନିଜ ଗାଁରେ ଇ-ଲାଇବ୍ରେରୀ ଓ ଟ୍ରେନିଂ ସେଣ୍ଟର୍ ସ୍ଥାପନ କରି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରେରିତ କରିବା ଓ ଆଇଆଇଟିରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦେବାର ଯୋଜନା କରୁଛନ୍ତି । ତାଙ୍କ ସଫଳତାରେ ପରିବାରର ଅପାର ତ୍ୟାଗ ଓ ସମର୍ଥନ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଛି । ବିଦେଶରେ ରହି ଗବେଷଣା କରୁଥିବା ବେଳେ ତାଙ୍କ ଭାଇ ଘରେ ରହି ପରିବାର ଓ ଚାଷ କାମ ଦେଖୁଥିଲେ । ସ୍ତ୍ରୀ ଓ ପରିବାରର ସମର୍ଥନ ତାଙ୍କୁ ଆଗକୁ ବଢ଼ିବାର ଶକ୍ତି ଦେଇଛି । ଡ଼ା. ଠାକୁରଙ୍କ କଥା—“ଗାଁର ଛାତ୍ରଛାତ୍ରୀମାନେ ନିଜ ଉପରେ ଆତ୍ମବିଶ୍ୱାସ ରଖି ବଡ଼ ସ୍ୱପ୍ନ ଦେଖନ୍ତୁ”—ଆଜିର ଯୁବପିଢ଼ି ପାଇଁ ଏକ ଶକ୍ତିଶାଳୀ ସନ୍ଦେଶ । ତାଙ୍କ ଜୀବନ ଗାଥା ପ୍ରମାଣ କରେ ଯେ, ସଠିକ୍ ମନୋବଳ ଓ ପ୍ରୟାସ ଥାଇଲେ ଲଣ୍ଠନ ଆଲୋକରୁ ମଧ୍ୟ ଆଇଆଇଟି ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ।