
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ଗ୍ରାମର ଶତାଧିକ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଦୀର୍ଘ ୬୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସରକାରୀ ଜାଗାରେ ଘର କରି ରହିଆସୁଛନ୍ତି । ସେମାନଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ ଦାବିରେ ଶନିବାର ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ହଳଦୀ ମୌଜାରେ ଥିବା ବାସିନ୍ଦାଙ୍କ ଦାବିପତ୍ର ମୁତାବକ ସେମାନେ ଦୀର୍ଘ ୬୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସେହି ସରକାରୀ ଜାଗାରେ ଘର କରି ରହିଆସୁଛନ୍ତି । ଏଥିରେ ବହୁ ସଂଖ୍ୟକ ଏସଟି, ଏସସି, ଓବିସି ଓ ସାଧାରଣ ବର୍ଗର ଅତ୍ୟନ୍ତ ଗରିବ ପରିବାର ବସବାସ କରୁଛନ୍ତି । ସେମାନେ ଘରଡିହ କରି ରହୁଥିବା ସେହି ସରକାରୀ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ, ବିଦ୍ୟୁତ୍ ଯୋଗାଣ, ପାଇଖାନା, ଜଳଯୋଗାଣ, କଂକ୍ରିଟ ରାସ୍ତା, ଆଲୋକିକରଣ ଭଳି ସମସ୍ତ ସରକାରୀ ଯୋଜନା ଓ ସହାୟତା ପାଉଛନ୍ତି । କିନ୍ତୁ ସ୍ଥାୟୀ ଘରଡିହ ପଟ୍ଟା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ସେମାନେ ପୂର୍ବରୁ ବହୁଥର ତହସିଲ ଓ ଆରଆଇ ଅଫିସକୁ ଯାଇ ନିରାଶ ହୋଇ ଫେରିସାରିଛନ୍ତି । ତହସିଲଦାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଆରଆଇ କୌଣସି ଦୃଢ଼ ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଆରଆଇଙ୍କୁ ସରକାରୀ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇ ଶୀଘ୍ର ଘରଡିହ ପଟ୍ଟା ପ୍ରଦାନ କରିବାକୁ ହଳଦୀ ଗ୍ରାମବାସୀ ତହସିଲଦାରଙ୍କୁ ପୁଣି ଲିଖିତ ଦାବୀ କରିଛନ୍ତି । ଦାବିପତ୍ର ଗ୍ରହଣ କରି ତହସିଲଦାର ଶ୍ରୀ କର୍ତ୍ତାମୀ ଏ ସମ୍ପର୍କରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀଙ୍କୁ ନିଶ୍ଚିତ ପ୍ରତିଶ୍ରୁତି ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ, କ୍ଷୀରସିନ୍ଧୁ ହାତୀ, ଗୋବିନ୍ଦ ବାଗ, ଦୈତାରୀ ବାଗ, ଧୁବଳ ଭୁକ୍ତା, ସୁଧୀର ମାହାକୁର, ପ୍ରଦୀପ ସେଲମା, କ୍ଷୀରସିନ୍ଧୁ ଷଢ଼ଙ୍ଗୀ, ଚୈତନ୍ୟ ଭୋଇ, ଚିତ୍ରସେନ ହାତୀ, ଶେଷଦେବ ରଣା ଓ ଅନାମ ଷଢ଼ଙ୍ଗୀଙ୍କ ସମେତ ସରକାରୀ ଜାଗାରେ ଘର କରି ରହୁଥିବା ବହୁ ସଂଖ୍ୟକ ପରିବାରର ମହିଳାମାନେ ମଧ୍ୟ ଉପସ୍ଥିତ ଥିଲେ ।