
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଜିଲ୍ଲା କାରାଗାରରୁ ଜନୈକ ବିଚାରାଧୀନ କଏଦୀ ଫେରାର ମାରିଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାନୁଯାୟୀ, ସଦର ଥାନା ଅନ୍ତର୍ଗତ ଠେମରା ଗ୍ରାମର ଜଗନ୍ନାଥ ଶବର ନାମକ ବିଚାରାଧୀନ କଏଦୀ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଭବାନୀପାଟଣା ଜିଲ୍ଲା କାରାଗାରରୁ ପାଚେରୀ ଡେଇଁ ଫେରାର ହୋଇଯାଇଥିବା ସୂଚନା ରହିଛି । ଅଭିଯୁକ୍ତ ଜଗନ୍ନାଥ ତିନୋଟି ଚୋରି ମାମଲାରେ ଦୁଇ ମାସ ହେଲା ଜିଲ୍ଲା କାରାଗାରରେ ରହୁଥିଲେ । ଏ ସମ୍ପର୍କରେ ଜେଲ ପକ୍ଷରୁ ସ୍ଥାନୀୟ ପୁଲିସକୁ ଜଣାଯାଇଛି । ଭବାନୀପାଟଣା ପୁଲିସ ଖୋଜାଖୋଜି କରୁଥିଲେ ମଧ୍ୟ ଏଯାଏଁ ଫେରାର କଏଦୀର ସନ୍ଧାନ ମିଳିପାରିନାହିଁ । ଜିଲ୍ଲା କାରାଗାରରେ କଡା ସୁରକ୍ଷା ଥିବା ସତ୍ୱେ କିଭଳି ଜେଲ ଭିତରୁ କଏଦୀ ଫେରାର ମାରୁଛନ୍ତି । ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଭବାନୀପାଟଣା ଜିଲ୍ଲା କାରାଗାରରୁ ଅନେକ କଏଦୀ ଫେରାର ହେବା ନଜୀର ରହିଛି ।