
କଳାହାଣ୍ଡି, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଗୁନୁଗୁନିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡ଼ି ରାସ୍ତାକଡ଼ରେ ଥିବା ଗଛରେ ପିଟି ହେବା ଫଳରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ୬ ଜଣ ବୋଲେରୋ ଯୋଗେ ଏକ ବିବାହ ଉତ୍ସବରେ ଯୋଗଦେଇ ନିଜ ଗାଁକୁ ଫେରୁଥିଲେ । ତେବେ ଗୁନୁଗୁନିଆ ଛକ ନିକଟରେ ଚାଳକ ଗାଡ଼ିଟିରୁ ନିୟନ୍ତ୍ରଣ ହରାଇବାରୁ ଏହା ସିଧାସଳଖ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା । ଗୁରୁତର ହୋଇଥିବା ୬ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ମିନୁରାଣୀ ସାହୁଙ୍କ ମୃତ୍ୟୁ ହୋଇଛି । ଗୁରୁତର ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।