
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ମହାନଦୀ ସାହିତ୍ୟ ସଂସଦ ସୋନପୁରର ମିଳିତ ସହଯୋଗରେ ସୁବର୍ଣ୍ଣପୁର ସଂସ୍କୃତି ଭବନଠାରେ ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରାଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର କୁଳପତି ଡଃ ପବନ କୁମାର ଅଗ୍ରୱାଲ ଯୋଗ ଦେଇ ଭୁବନେଶର ବେହେରାଙ୍କ ଗଳ୍ପ ସାହିତ୍ୟ, ଗଦ୍ୟ ଶୈଳୀ ଓ ସମାଜ ଜୀବନ ସହିତ ତାଙ୍କ ରଚନାର ଗଭୀର ସମ୍ପର୍କକୁ ଉଲ୍ଲେଖ କରିଛନ୍ତି । ସଭାମୁଖ୍ୟ ତଥା ଜିଲ୍ଲାପାଳ ଡ. ନୃପରାଜ ସାହୁ କହିଥିଲେ “ସେ ସାହିତ୍ୟ ସେତେବେଳେ କାଳଜୟୀ ହୁଏ ଯେଉଁ ସାହିତ୍ୟ ମାଟିର କଥା କହେ, ଯେଉଁ ସାହିତ୍ୟ ମଣିଷର କଥା କହେ, ଯେଉଁ ସାହିତ୍ୟ ଆବେଗର କଥା କହେ” । ଭୁବନେଶ୍ୱର ବେହେରାଙ୍କ ପ୍ରତି ଗଳ୍ପରେ ଲେଖାରେ ଭାରତୀୟ ସଭ୍ୟତା ସଂସ୍କୃତି ପ୍ରତି ଗଭୀର ସମ୍ମାନବୋଧ ପ୍ରତୀକ ଦଣ୍ଡାୟମାନ ହୋଇ ରହିଛି ବୋଲି ମତ ରଖି ମଣିଷର ମନ ଆଚାର ବ୍ୟବହାର ଶିକ୍ଷା ସଭ୍ୟତା ସଂସ୍କୃତିକୁ ଆଧାର କରି ତାଙ୍କର ଗଦ୍ୟ ରାଜ୍ୟ ରୁଦ୍ଧିମନ୍ତ ହୋଇ ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରଫେସର ସୁଦର୍ଶନ ପଣ୍ଡା, ଡଃ ଦେବାଶିଷ ପାଣ୍ଡିଆ, ଡଃ. ସୌରଭ ରଞ୍ଜନ ଖମାରୀ ଯୋଗଦେଇ ଶ୍ରୀ ବେହେରାଙ୍କ ସାହିତ୍ୟ ଧାରା ଆଗକୁ ବଢ଼ାଇବା ପାଇଁ ଯୁବ ପୀଢ଼ିକୁ ପ୍ରେରିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, କବି, ଲେଖକ ଓ ବୁଦ୍ଧିଜୀବୀ ଯୋଗଦେଇ ଶ୍ରୀ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସୁବର୍ଣ୍ଣପୁର ଭଳି ପବିତ୍ର ମାଟିରେ ଶ୍ରୀ ବେହେରାଙ୍କ ଶ୍ରାଦ୍ଧ ଉତ୍ସବ ପାଳନ କରିବାର ସୁଯୋଗ ମିଳିଥିବାରୁ ଓ ଆପଣଙ୍କ ଏତେ ସଂଖ୍ୟାରେ ସାହିତ୍ୟ ସଂସ୍କୃତି ପ୍ରେମୀଙ୍କ ଉପସ୍ଥିତି ଯୋଗୁଁ ଆମେ ନିଜକୁ ଧନ୍ୟ ମନେ କରୁଛୁ ବୋଲି ସାହିତ୍ୟ ଏକାଡ଼େମୀ ସଦସ୍ୟ ତଥା କଳାହାଣ୍ଡିରୁ ଆସିଥିବା ବକ୍ତା ସାହିତ୍ୟିକ କହିଥିଲେ । ପ୍ରାରମ୍ଭରେ ଅତିଥିଙ୍କ ଦ୍ଵାରା ଭୁବନେଶ୍ୱର ବେହେରାଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ କୋଶଳ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।